ଭୁବନେଶ୍ୱର,୨୩ା୧୧: ଦିବଂଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଡାକ୍ତର ସଞ୍ଜୀବ କୁମାର କର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ହ୍ୟୁମାନ ସାଗର ପ୍ରଥମେ ସେପ୍ଟେମ୍ବର ୨୦୨୪ରେ ତାଙ୍କୁ ପରାମର୍ଶ ପାଇଁ ଭେଟିଥିଲେ।
ହ୍ୟୁମାନ ସାଗର ମଦ୍ୟପାନ ଜନିତ ଲିଭର୍ ସିରୋସିସ୍ ରେ ପୀଡ଼ିତ ଥିଲେ, ଯାହା ସେତେବେଳକୁ ସ୍ପଷ୍ଟ ହୋଇସାରିଥିଲା। ଡାକ୍ତର କର କହିଛନ୍ତି ଯେ ସେ ହ୍ୟୁମାନଙ୍କୁ ନିୟମିତ ଭାବେ କାମର ବୋଝ କମାଇବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ବାରମ୍ବାର ପରାମର୍ଶ ଦେଇଥିଲେ।
ହ୍ୟୁମାନ ପ୍ରତି ଦୁଇରୁ ତିନି ମାସରେ ଥରେ ଫଲୋ ଅପ୍ ପାଇଁ ଆସୁଥିଲେ।ଅନିୟମିତ ଖାଇବା ଅଭ୍ୟାସ ଏବଂ ଲଗାତାର ରାତିସାରା କାମ କରିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ହ୍ୟୁମାନ ପେଟ ଫୁଲିବା, ଗୋଡ଼ ଫୁଲିବା ଏବଂ ନିଶ୍ୱାସ ନେବାରେ କଷ୍ଟ ଭଳି ଜଟିଳତା ନେଇ ଡାକ୍ତରଙ୍କ ପାଖକୁ ଆସୁଥିଲେ। ପରୀକ୍ଷାରୁ ତାଙ୍କର ‘ଆସାଇଟସ୍’ (Ascites – ପେଟରେ ତରଳ ପଦାର୍ଥ ଜମିବା) ସହିତ ଲିଭର୍ ସିରୋସିସ୍ ଥିବା ଜଣାପଡିଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ବଲାଙ୍ଗୀର ଟାଉନ୍ ଥାନାରେ ହ୍ୟୁମାନ ସାଗରଙ୍କ ଦୁଇ ଜଣ ମ୍ୟାନେଜରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଦିନେଶ ବେହେରା ଏବଂ ପ୍ରଶାନ୍ତ ବେହେରା, ଯିଏକି ନିକଟରେ ହ୍ୟୁମାନଙ୍କ କାର୍ଯ୍ୟକ୍ରମ ସୂଚୀ ପରିଚାଳନା କରୁଥିଲେ, ସେମାନଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି।