ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ ପୂଜା । ସବୁଠି ମାଙ୍କ ଆରାଧନା ଓ ପୂଜାର୍ଚ୍ଚନା ହେଉଛି। ମାଙ୍କ ମୂର୍ତ୍ତି ମଣ୍ଡପ ବିଦ୍ୟୁତ ରଙ୍ଗୀନ ଆଲୋକ ମାଳାରେ ଉଦ୍ଭାସିତ ହେଉଛି। ଏଭଳିସ୍ଥିତିରେ ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଗୋପୀନାଥପୁର ଗ୍ରାମର ବାସନ୍ତୀ ପଡିଆରେ ସାର୍ବଜନୀନ ପୂଜାକୁ ନେଇ ପ୍ରଶାସନ ଅନୁମତି ନ ଦେବାରୁ ଗ୍ରାମ ପରିବେଶ ଅଶାନ୍ତ ହୋଇଛି।
ସୂଚନାନୁଯାୟୀ ଗତବର୍ଷ ଏହି ସ୍ଥାନରେ ୨ ଗୋଷ୍ଠୀ ଭିନ୍ନ ଭାବେ ୨ଟି ବାସନ୍ତୀ ପୂଜା କରିବାକୁ ଜିଦି କରିଥିବାବେଳେ ସେଠାରେ କିଛିଦିନ ଧରି ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଆସିଥିଲା। ଏହି ବିବାଦୀୟ ଘଟଣା ଜିଲାପ୍ରଶାସନ ଅବଗତ ହେବାପରେ ଭୋଗରାଇ ଥାନା ପରିସରରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୨ ଗୋଷ୍ଠୀକୁ ଡାକି ପ୍ରଶାସନ ଆପୋଷ ସମାଧାନ ଲାଗି ପ୍ରୟାସକରିଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ପରେ ମଧ୍ୟରାତ୍ରିରେ ୨ଟି ପୂଜା ମଣ୍ଡପରେ ମା ବାସନ୍ତୀଙ୍କ ସହିତ ପାର୍ଶ୍ୱ ଦେବୀଦେବଙ୍କ ମୁଣ୍ଡ କାଟ ଘଟଣାକୁ କେନ୍ଦ୍ର କରି ପଞ୍ଚାୟତ ଅଶାନ୍ତ ହୋଇପଡିଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ସେଠାରେ ଉପଖଣ୍ଡ ମାଜିଷ୍ଟ୍ରେଟ ବାଲେଶ୍ୱରଙ୍କ ୧୬୩ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଆଦେଶ ନାମା ଜାରିକରିଥିଲେ। ଚଳିତ ବର୍ଷ ମଧ୍ୟ ଉକ୍ତ ସ୍ଥାନରେ ଅନୁରୂପ ଭାବେ ସାର୍ବଜନୀନ ମା ବାସନ୍ତୀ ମୂର୍ତ୍ତି ନିର୍ମାଣକୁ ନେଇଁ ପୁଣି ବିବାଦମାନସ୍ଥିତ ଉପୁଜିବାରୁ ଖାତା ନଂ ୨ ୭ ୫ ପ୍ଲଟ ନଂ ୧ 0 ୫ ୧, ୧ 0 ୫ ୩ ଓ ୧0୫୪ ବାସନ୍ତୀ ପଡିଆ ଅଞ୍ଚଳ ଓ ବାପୁଜୀ ପାଠାଗାର ନିକଟସ୍ଥ ଅଞ୍ଚଳରେ ବାଲେଶ୍ୱର ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ୧ ୬ ୩ ଜାରି କରାଯାଇଛି। ସେଠାରେ ୧ ୧ ଦିନ କୌଣସି ସଭା, ସମିତି, ଧର୍ମଘଟ, ଆନ୍ଦୋଳନ ଶୋଭାଯାତ୍ରା କାର୍ଯ୍ୟକ୍ରମ ହୋଇପାରିବ ନାହିଁବୋଲି କାନ୍ଥବାଡ଼ରେ ପ୍ରଶାସନ ନୋଟିସ ଲଗାଇବା ସହିତ ଉଭୟ ପୂଜା କମିଟିକୁ ନୋଟିସ ଦେଇ ଆଇନ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପ୍ରଶାସନ ଭୋଗରାଇ ଥାନା ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଏହି ଘଟଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି।
Dharitri – Odisha’s No.1 Odia Daily