‘ଘରବାହୁଡ଼ା’ ହୋଇଥିବା ବରୀ ବ୍ଲକ ଅଧ୍ୟକ୍ଷ ପୁଣି ଛାଡିଲେ ବିଜେଡି, ଦ୍ୱିତୀୟଥର ପାଇଁ ଭାଜପାରେ ହେଲେ ସାମିଲ

ଭୁବନେଶ୍ୱର,୬।୧୧: ଯାଜପୁର ଜିଲା ରାଜନୀତିରେ ପୁଣିଥରେ ଦଳ ଡିଆଁ ଏବଂ ‘ଘରବାହୁଡ଼ା’ ନାଟକ ଦେଖିବାକୁ ମିଳିଛି। ପୂର୍ବରୁ ଥରେ ବିଜେଡି ଛାଡ଼ି ଭାଜପା ଯାଇ ପୁଣି ୧୧ ଦିନରେ ବିଜେଡିକୁ ଫେରି ଆସିଥିବା ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ଗୁରୁବାର ଦ୍ୱିତୀୟ ଥର ପାଇଁ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି।

ଗତ ମେ ୧୬ ତାରିଖରେ ଅଶୋକ ଗେଡ଼ି ନିଜ ସମର୍ଥିତ ୭ ଜଣ ସରପଞ୍ଚ ଏବଂ ୧୧ ଜଣ ସମିତି ସଭ୍ୟଙ୍କ ସହ ପ୍ରଥମ ଥର ପାଇଁ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ମାତ୍ର ୧୧ ଦିନ ପରେ ସେ ‘ବିକାଶର ବାସ୍ତବତା ନାହିଁ’ କହି ପୁଣି ଶଙ୍ଖ ଭବନରେ ବିଜେଡିକୁ ଫେରିଥିଲେ, ଯେଉଁଠାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଦଳକୁ ତାଙ୍କୁ ସ୍ବାଗତ କରିଥିଲେ।

ତେବେ ପୁଣିଥରେ ଆଜି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି, ତାଙ୍କର ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ବିଜେଡି ଛାଡ଼ି ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି। ଏହି ଘଟଣା ଜିଲା ରାଜନୀତିରେ ପୁଣି ଏକ କମ୍ପନ ସୃଷ୍ଟି କରିଛି।

ପୂର୍ବରୁ ବିଜେଡିକୁ ଫେରିବା ସମୟରେ ଅଶୋକ ଗେଡ଼ି କହିଥିଲେ ଯେ, “ବିକାଶ କେବଳ ଫମ୍ପା ଆବାଜ ଏବଂ ମିଛ ପ୍ରତିଶ୍ରୁତି” ବୋଲି ସେ ଭାଜପାରେ ଯୋଗ ଦେବା ପରେ ଅନୁଭବ କରିଥିଲେ, ତେଣୁ ସେ ନିଜ ଦଳକୁ ଫେରିଥିଲେ। ମାତ୍ର ଏହି ଦ୍ୱିତୀୟ ଥର ଦଳ ଛାଡ଼ିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Dharitri – The Largest & Most Trusted Odia Daily

\

Share
Tags: BJDbjpodisha