ଜଙ୍ଗଲକୁ ଯାଇଥିବାବେଳେ ଆକ୍ରମଣ କଲା ବାର୍‌ହା: ଜଣେ ଗୁରୁତର, ଏକାଧିକ ଆହତ

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): ଜଙ୍ଗଲକୁ ଯାଇଥିବାବେଳେ ବାର୍‌ହା ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଏକାଧିକ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ସେକ୍ସନ ଲାଦାମାଲା ଗ୍ରାମର ମନୋଜ ପ୍ରଧାନ। ଗୁରୁତର ମନୋଜଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଓ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମନୋଜଙ୍କ ପରିବାର କହିବାନୁଯାୟୀ, ସେ ନିଜ ଗାଁ ନିକଟ ଜଙ୍ଗଲରେ କାଠ ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ସେ କାର୍ଯ୍ୟରତ ଥିବା ସମୟରେ ହଠାତ ବାର୍‌ହାଟି ମନୋଜଙ୍କୁ ଆକ୍ରମଣ କରିଥିଲା। ସେ ଦୌଡ଼ି ଆସିଥିବା ବେଳେ କିଛି ଗ୍ରାମବାସୀ ଉକ୍ତ ବାର୍‌ହାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ସେହି ସମୟରେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ବୋଲି କୁହାଯାଉଛି। କିନ୍ତୁ ଏ ସମ୍ପର୍କରେ ଗାଁରେ ଅନ୍ୟକିଛି ଆଲୋଚନା ହେଉଛି ପ୍ରକୃତରେ ସେମାନେ କୁଆଡ଼େ ଶିକାର କରିବାକୁ ଯାଇ ବାର୍‌ହାକୁ ଆକ୍ରମଣ କରିଥିଲେ। ଏହି ସମୟରେ ଘାଇଲା ବାର୍‌ହାଟି ପାଲଟା ଲୋକଙ୍କୁ ଆକ୍ରମଣ କରିଥିଲା ଓ ପରେ ବାର୍‌ହାକୁ ମାରିଦିଆଯାଇଥିବା ନେଇ ଆଲୋଚନା ହେଉଛ।

ଏନେଇ ସିମନବାଡ଼ି ବନପାଳ ବନିତା ପ୍ରଧାନ କହିଛନ୍ତି, ସେ ଏ ସମ୍ପର୍କରେ ଶନିବାର ଖବର ପାଇ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକୃତ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇ ନ ଥିବା ସେ କହିଛନ୍ତ। ସିମନବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଜଙ୍ଗଲରେ ଏକାଧିକ ବାର୍‌ହା ରହୁଥିବାରୁ ଅଞ୍ଚଳବାସୀ ଜଙ୍ଗଲକୁ ଯିବାକୁ ଭୟ କରୁଛନ୍ତି। ମନୋଜଙ୍କ ଭଳି ଆଉ କିଏ ଏଭଳି ବାର୍‌ହା ଆକ୍ରମଣରେ ଯେମିତି ଶିକାର ନ ହେବେ ସେନେଇ ବନବିଭାଗ ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲୀ ବାର୍‌ହାଙ୍କ ଜୀବନ ମଧ୍ୟ ଯେମିତି କ୍ଷତି ହେବନି ସେନେଇ ବନ ବିଭାଗ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି। ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା କହିଛନ୍ତି, ତାଙ୍କ ନିକଟରେ କୌଣସି ଅଫିସିଆଲ ରିପୋର୍ଟ ଆସିନାହିଁ, ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।