ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ ରାଜ୍ୟରେ ଶାସନର ୨ବର୍ଷ ନ ପୂରୁଣୁ ସରକାର ବିଧାୟକଙ୍କ ଦରମା ୩ଗୁଣା କରିବା ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି । ସୋସିଆଲ ମିଡ଼ିଆରେ ଏହାକୁ ବହୂଲୋକେ ନାପସନ୍ଦ କରୁଥିବା ପରିଲକ୍ଷିତ ହୋଇଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ବର୍ଦ୍ଧିତ ଦରମା ନେବେ ନାହିଁ ଏବଂ ଗରିବଙ୍କ ସେବାରେ ତାହା ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉ ଥିବାବେଳେ ଶାସକଦଳର ବିଧାୟକ ମଧ୍ୟ ଏବେ ତାଙ୍କର ଏହି ପଥାନୁସରଣ କରୁଥିବା ପରିଲକ୍ଷିତ ହୋଇଛି । ରବିବାର ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ ନିଜ ଫେସବୁକ୍ ପେଜରେ ବର୍ଦ୍ଧିତ ଦରମାକୁ ନେଇ ସେ ମନ୍ତବ୍ୟ ରଖିଛନ୍ତି । ବର୍ଦ୍ଧିତ ଦରମା ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ କିମ୍ବା ଜିଲାପାଳଙ୍କ ଜରିଆରେ ଲୋକଙ୍କ ସେବାରେ ଲଗେଇବି ବୋଲି ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ସେଥିରେ ଉଲ୍ଲେଖ କରିଛନ୍ତି। ବିଧାୟକ ଷଡ଼ଙ୍ଗୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

Dharitri – Odisha’s No.1 Odia Daily