ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍ କ୍ଷମତା ବିଶିଷ୍ଟ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ସେ ଚିଠିରେ ଲେଖିଛନ୍ତି, ବରଗଡ଼ ଜିଲା ତଥା ଜିଲାର ପଦମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ସବୁଠାରୁ ପଛୁଆ ଏବଂ ଅନୁନ୍ନତ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏହି ଜିଲା କୃଷି ପ୍ରଧାନ ଅଟେ । ତେବେ ବିଭିନ୍ନ ସମୟରେ ଜିଲାର ରୋଗୀମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ହଟହଟାର ସମ୍ମୁଖୀନ ହୁଅନ୍ତି।ଗୁରୁତର ରୋଗୀମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ କଟକ, ଭୁବନେଶ୍ୱର, ରାୟପୁର କିମ୍ବା ବିଶାଖାପାଟଣାକୁ ନେବାକୁ ପଡ଼ିଥାଏ। ଫଳରେ ରୋଗୀଙ୍କୁ ଆର୍ଥିକ ବୋଝ ହେବାକୁ ପଡ଼ିଥାଏ।
ସେହିପରି ଚିକିତ୍ସା ବିଳମ୍ବ ଯୋଗୁ ଜୀବନହାନି ଘଟିଥାଏ । ଅନ୍ୟପକ୍ଷରେ ବର୍ତ୍ତମାନ ଜିଲା ମୁଖ୍ୟ ହସ୍ପିଟାଲରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ପଦମପୁର, ଝାରବନ୍ଧ, ପାଇକମାଲ, ବିଜେପୁର, ଭଟଲି ଏବଂ ଅନେକ ସଂଲଗ୍ନ ବ୍ଲକର ଲୋକମାନେ ଏହି ହସ୍ପିଟାଲ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଏହି ଦୃଷ୍ଟିରୁ ବରଗଡ଼ ଜିଲା ହସ୍ପିଟାଲକୁ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରିବାକୁ ଏମ୍ପି ପୁରୋହିତ ଦାବି କରିଛନ୍ତି । ଏହା ସହିତ ଜିଲା ମୁଖ୍ୟ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ୧୦୦ ଏମବିବିଏସ ସିଟ୍ ସହିତ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କୁ ସେ ଅନୁରୋଧ କରିଛନ୍ତି । ମେଡ଼ିକାଲ କଲେଜ ହେଲେ ଆଗାମୀ ଦଶନ୍ଧି ପାଇଁ ବିଶେଷଜ୍ଞ ଡାକ୍ତର ବାହାରିବେ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ ହେବ ବୋଲି ପୁରୋହିତ କହିଛନ୍ତି।