ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା ଅଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭୁଜାଲି ମାଡ଼ ହୋଇଛି। ଏହି ଆକ୍ରମଣରେ ୩ ନମ୍ବର ୱାର୍ଡ କଟକିଆ ପଡ଼ାର ଅମିତ ମଲ୍ଲିକ (୩୦) ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଅମିତ ନିଜ ବୁଲେଟ ଯୋଗେ ଘରକୁ ଫେରୁଥିବା ସମୟରେ ହାଟପଦା ରାସ୍ତାରେ ଏକ ଅଟୋ ଠିଆ ହୋଇଥିଲା। ଅମିତ ଅଟୋ ଚାଳକଙ୍କୁ ଗାଡ଼ିଟିକୁ ସାଇଡ କରିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଟୋ ଚାଳକ ଜଣକ ନିଜର କିଛି ପରିଚିତ ଲୋକଙ୍କୁ ଡାକି ଅମିତଙ୍କ ଉପରେ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ।
ଅମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ବୁର୍ଲା ଭୀମସାର୍ (VIMSAR)କୁ ସ୍ଥାନାନ୍ତର କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ବରଗଡ଼ ଏସ୍ପି ପ୍ରହଲ୍ଲାଦ ସହାୟ ମିନା ଟାଉନ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ, ବଜରଙ୍ଗ ଦଳର ଜିଲା ସଂଯୋଜକ ସଞ୍ଜୀବ କୁମାର ମେହର ଚେତାବନୀ ଦେଇଛନ୍ତି ଯେ, ଯଦି ଅଭିଯୁକ୍ତମାନେ ତୁରନ୍ତ ଗିରଫ ନ ହୁଅନ୍ତି, ତେବେ ଆଗକୁ ଉଚିତ ଜବାବ ଦିଆଯିବ।
ସହର ମଧ୍ୟରେ କ୍ରମାଗତ ଭାବେ ଛୁରାମାଡ଼ ଓ ହତ୍ୟାକାଣ୍ଡ ଭଳି ଘଟଣା ସହରବାସୀଙ୍କୁ ଭୟଭୀତ କରିଛି। ପୂର୍ବରୁ ହାଟପଦା ଓ ବସଷ୍ଟାଣ୍ଡ ସମ୍ମୁଖରେ ଛୁରାମାଡ଼ ଯୋଗୁ ୩ ଜଣଙ୍କ ଜୀବନ ଯାଇସାରିଛି। ସହରରେ ବଢୁଥିବା କଫସିରପ, ବ୍ରାଉନ ସୁଗର ଓ ନିଶା ବଟିକା କାରବାର ଯୋଗୁ ଏଭଳି ଅପରାଧ ବଢୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଥାନା ନିକଟରେ ଏଭଳି ଆକ୍ରମଣ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ସହରରେ ଏବେ ଚାପା ଉତ୍ତେଜନା ଲାଗି ରହିଛି।