
ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ ୫ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଘଟଣାରେ ପ୍ରଥମେ ପୀଡ଼ିତାଙ୍କ ନିଖୋଜ ନେଇ ଏକ ଫୋନକଲ୍ ରେକର୍ଡର ଅଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ଏବେ ସ୍ଥାନୀୟ ଏକ ମଲ୍ର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ସେହି ଫୁଟେଜରେ ପୀଡ଼ିତା ବାହାରୁଥିବା ଏବଂ ତାଙ୍କ ସହିତ ଜଣେ ଯୁବକ ରହିଥିବା ଚର୍ଚ୍ଚା ଦେଖାଯାଉଛି। ତେବେ ସମ୍ପୃକ୍ତ ଯୁବକ ଜଣକ କିଏ? ତାକୁ ନେଇ ନାନା କଳ୍ପନାଜଳ୍ପନା କରାଯାଉଥିବାବେଳେ ପୋଲିସ ମଧ୍ୟ ଫୁଟେଜ୍ ଆଧାରରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଚଲାଇଛି। ଅପରପକ୍ଷେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ବିଜେଡି, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇ ସାରିଛନ୍ତି। ସେହିପରି ଅଞ୍ଚଳବାସୀ ପୀଡ଼ିତାଙ୍କୁ ନ୍ୟାୟ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ବରଡ଼ୋଲ ଛକରେ ରାସ୍ତାରୋକୋ କରିଥିଲେ। ପୋଲିସ ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ପହଞ୍ଚି ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅଭିଯୁକ୍ତମାନେ ପୋଲିସ ଜାଲରେ ପଡ଼ି ସାରିଥିବା ନେଇ ସାଧାରଣରେ ଆଲୋଚିତ ହେଉଛି।