ବରଗଡ଼, ୧୭।୮(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ରବିବାର ସାରେ ଲଗ୍ନ ନିର୍ଦ୍ଧାରୀତ ହୋଇଛି। ପଣ୍ଡିତ ଚୂଡାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ ଚରଣ ଦାଶ, ପଣ୍ଡିତ ବିଷ୍ଣୁଦୟାଲ ଦାଶ, ପଣ୍ଡିତ ଆୟୁଷ୍ମନ୍ତ ଷଡ଼ଙ୍ଗୀ, ମନ୍ଦିରର ପୂଜକ କ୍ଷୀରୋଦ୍ର ଝାଙ୍କର ପ୍ରମୁଖ ଲଗ୍ନ ନିର୍ଦ୍ଧାରଣ କରିଥିଲେ। ଆଗାମୀ ଅଗଷ୍ଟ ୨୭ ତାରିଖ ବୁଧବାର ନିଶାର୍ଦ୍ଧ ପରେ ୨୮ ତାରିଖ ଗୁରୁବାର ପାହାନ୍ତିଆ ହେବା ପୂର୍ବରୁ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଭୋଗର ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପଣ୍ଡିତମାନେ ସୂଚନା ଦେଇଥିଲେ।
ସୂଚନା ମୁତାବକ ବରଗଡ଼ ସମଲେଶ୍ୱରୀ ମନ୍ଦିରର ଏକ ନିଆରା ପରମ୍ପରା ରହିଛି। ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ, ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କଠାରେ ନବାନ୍ନ ଭୋଗ ଲାଗି କରାଯାଏ। ସେହିପରି ଅଗଷ୍ଟ ୨୮ ତାରିଖ ଗୁରୁବାର ଭାଦ୍ରବ ଶୁକ୍ଲ ପଞ୍ଚମୀ ସିଂହ ୧୨ ଦିନ ବିଶୁଦ୍ଧ ତୁଳ ଲଗ୍ନେ ତୁଳ ଚନ୍ଦ୍ରେ ସ୍ବାତୀ ନକ୍ଷତ୍ରେ ଶୁକ୍ଳ ଯୋଗେ ମୀନ ନବାଂଶେ ପୂର୍ବାହ୍ନ ୧୦ ଘଣ୍ଟା ୨୩ମିନିଟରୁ ୧୦ ଘଣ୍ଟା ୩୭ ମିନିଟ ମଧ୍ୟେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କଠାରେ ନବାନ୍ନ ଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିବା ଶୁଭପ୍ରଦ ଅଟେ ବୋଲି ଲଗ୍ନ ସ୍ଥିରିକୃତ ହୋଇଥିଲା। ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସମେତ ହାଟପଦା ଦୁର୍ଗା ମନ୍ଦିର, ମା ଶ୍ୟାମାକାଳୀ ମନ୍ଦିରର କର୍ମକର୍ତ୍ତା ତଥା ବରଗଡ଼ ସମଲେଶ୍ବରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।