ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହେବାକୁ ରବିବାର ଭୋର ପର୍ଯ୍ୟନ୍ତ ଲାଗିଥିଲା।ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ମଶା ଧୂପ କିମ୍ବା ବିଦ୍ୟୁତ ସର୍ଟସର୍କିଟରୁ ଏପରି ଘଟିଛି ବୋଲି ଆଲୋଚନା ହେଉଛି।
ପାରାଦୀପର ସବୁଠାରୁ ବଡ଼ ଓ ମୁଖ୍ୟ ପରିବା ବଜାର ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ବ୍ୟବସାୟୀ ଅସ୍ଥାୟୀ ପିଣ୍ଡିରେ ପରିବା ବେପାର କରନ୍ତି । ସେମାନଙ୍କ ପାଇଁ ସ୍ଥାୟୀ ଶେଡ୍ ଏପର୍ଯ୍ୟନ୍ତ ହୋଇନାହିଁ । କାରଣ ବନ୍ଦର ଜାଗାରେ ଏପରି ସ୍ଥାୟୀ ଶେଡ୍ କରିବା ପାଇଁ କେତେକ ପ୍ରତିବନ୍ଧକ ରହିଛି । ପୌରପରିଷଦ ମଧ୍ୟ ଏପର୍ଯ୍ୟନ୍ତ ବ୍ୟବସାୟୀଙ୍କ ପାଇଁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍ କରିନାହାଁନ୍ତି । ଫଳରେ ସବୁ ବ୍ୟବସାୟୀ ବାଉଁଶ ଭରା ଉପରେ ପଲଥିନ୍ ଶେଡ୍ କରି ବେପାର କରୁଥିଲେ । ନିଆଁ ଲାଗିଲା ପରେ ତାହା ପଲଥିନ୍ ଯୋଗୁଁ ବ୍ୟାପି ଯାଇଥିଲା। ଘଟଣା ପରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ପ୍ରଭାବିତ ବ୍ୟବସାୟୀଙ୍କୁ ଭେଟି ସାନ୍ତ୍ବନା ଜଣାଇଥିଲେ । ସୂଚନାଯୋଗ୍ୟ ଗତ ବର୍ଷ ଜୁଲାଇ ମାସରେ ସମାନ ଜାଗାରେ ଅଗ୍ନିକାଣ୍ଡ ଘଟି ୪ ଟି ଦୋକାନ ପୋଡ଼ି ଯାଇଥିଲା।

 

Dharitri – Odisha’s No.1 Odia Daily

Share