ବାଙ୍କୀ , ୯।୯( ଶୁଭେନ୍ଦୁ ମହାପାତ୍ର ): ବିଦ୍ୟାଳୟ ଭିତରେ ଛାତ୍ରୀଛାତ୍ରମାନଙ୍କୁ ପ୍ରଧାନଶିକ୍ଷକ ପାଠ ପଢ଼ାଉଥିବା ସମୟରେ ଜଣେ ବ୍ୟକ୍ତି ଅଣ୍ଟାରେ ଏକ ଧାରୁଆ ଅସ୍ତ୍ର ଲୁଚାଇ ରଖି ଶ୍ରେଣୀ ଗୃହରେ ପଶି ହତ୍ୟା ଧମକ। ଏଭଳି ଏକ ଘଟଣା ବାଙ୍କୀ ଥାନା ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ତାଳବସ୍ତପୁଟ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ଏନେଇ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମୁଦୁଲି ଥାନାର ଦ୍ୱରସ୍ଥ ହୋଇଛନ୍ତି।
ସୂଚନାନୁଯାୟୀ, ତାଳବସ୍ତ ପୁଟ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ବିଦ୍ୟାଳୟକୁ ଆସୁଥିବା ବେଳେ ବାଟରେ ତାଳବସ୍ତ ଗ୍ରାମର ପତିତପାବନ ବେହେରାଙ୍କ ପୁତ୍ର ଆଲୋକ ରଞ୍ଜନ ଦଳବେହେରା ତାଙ୍କୁ ଟଙ୍କା ମାଗିଥିଲେ। ଶିକ୍ଷକ ଟଙ୍କା ଦେବାକୁ ମନା କରି ସେଠାରୁ ସ୍କୁଲକୁ ଚାଲି ଆସିଥିଲେ । ଏହାପରେ ଶ୍ରେଣୀ ଗୃହରେ ପ୍ରଧାନଶିକ୍ଷକ ପାଠ ପଢ଼ାଉଥିବା ବେଳେ ଆଲୋକ ପଶି ହୋ ହଲ୍ଲା କରିବା ସହିତ ମୁଁ ଟଙ୍କା ମାଗିଲି କାହିଁକି ଦେଲୁନାହିଁ କହି ଅଣ୍ଟାରେ ରଖିଥିବା ଧାରୁଆ ଅସ୍ତ୍ର ବାହାର କରି ମାରିବାକୁ ଉଦ୍ୟମ କରିିଥିଲେ। ଏହି ସମୟରେ ସେଠାରେ ଅନ୍ୟ ଶିକ୍ଷକ ମାନେ ପହଞ୍ଚି ତାଙ୍କୁ ଛଡ଼ାଇ ଥିଲେ । ଏଭଳି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ମୁଦୁଲି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣା ଘଟାଇବା ପରେ ଆଲୋକ ଫେରାର ହୋଇଯାଇଥିବା ବେଳେ ବାଙ୍କୀ ଥାନା କେସ ନଂ ୩୧୭/୨୫ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ବୋଲି ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ କହିଛନ୍ତି ।