ନିଲାମ ପୋଖରୀ ବିବାଦ: ଗୋଡ଼ାଇ ଗୋଡ଼ାଇ ହାଣିଲେ ସମ୍ପର୍କୀୟ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ବାଙ୍କୀ,୧୯।୯( ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ସ୍ଥିତ ପାଥପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ନିଲାମ  ପୋଖରୀ ବିବାଦକୁ ନେଇ ବହୁ ଦିନ ଧରି ଚାଲିଥିଲା ବିବାଦ। ଆଜି ସକାଳ ପ୍ରାୟ  ସାଢ଼େ ୬ଟା ସମୟରେ ସଂସାରୀ ରାଉତ ଓ ଆନନ୍ଦ ରାଉତ ଦୁଇ ଭାଇ ବିଲକୁ ଯାଉଥିବା ସମୟରେ ପୁର୍ବରୁ ଛକି ରହିଥିବା ସମ୍ପର୍କୀୟ ଭାଇ ମାନେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ରକ୍ତ  ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବେଳେ ପରିବାରଲୋକେ ଖବର ପାଇ ଗାଡି କରି ବାଙ୍କୀ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ଆନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଘଟଣାରେ  ଅଭିଯୁକ୍ତମାନେ  କଟୁରୀ,  ଫାର୍ଶା , କୋଦାଳ, ଫାଉଡା ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ପରିବାର ଲୋକେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା  ଥାଉ କି, ନିଲାମ  ପୋଖୋରୀରେ  ମାଛ ଚାଷକୁ  କେନ୍ଦ୍ର  କରି  ଏଭଳି  ଘଟଣା  ଘଟିିଛି। ଘଟଣା ଘଟାଇ ଥିବା ଅଭିଯୁକ୍ତମାନେ ଫେରାର  ଥିବା ବେଳେ  ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ବୋଲି ବାଙ୍କୀ ଥାନା ଆଇଆଇସି ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୃର୍ବୁତ୍ତ ମାନେ ଘଟଣା ଘଟାଇବା ପରେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଫଳରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି । ଗାଁକୁ ଯିବା ବାଟରେ ଦୃର୍ବୁତ୍ତମାନେ ଛକି ରହିଛନ୍ତି ବୋଲି  ଭୟଭୀତ ଅବସ୍ଥାରେ ଆହତଙ୍କ ପରିବାରଲୋକେ ବାଙ୍କୀ ମେଡିକାଲରେ ଅଛନ୍ତି ।

Share