ନୂଆଦିଲ୍ଲୀ,୨୪ା୧: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ। ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ୟୁନୁସ ସରକାରଙ୍କୁ ତୁରନ୍ତ ହଟାଇବାକୁ ବାଂଲାଦେଶବାସୀଙ୍କୁ ଶୁକ୍ରବାର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆହ୍ବାନ ଦେଇଛନ୍ତି। ୧୭ ମାସ ତଳେ ବାଂଲାଦେଶରୁ ପଳାୟନ କରି ଭାରତରେ ଶରଣ ନେଇଥିବା ଆଓ୍ବାମି ଲିଗ୍ ନେତ୍ରୀ ହାସିନା ପ୍ରଥମ ଥର ପାଇଁ ସେଠାକାର ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଗତବର୍ଷ ଯାହାକିଛି ଘଟିଲା, ଜାତିସଂଘ ସେସବୁର ନିରପେକ୍ଷ ତଦନ୍ତ କରାଇବା ଉଚିତ। ଏଥିସହ ସମ୍ବିଧାନର ପୁନଃ ଅବସ୍ଥାପନ ଓ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଦେଶବାସୀ ଏକଜୁଟ୍ ହୁଅନ୍ତୁ ବୋଲି ହାସିନା କହିଛନ୍ତି। ଫେବୃଆରୀ ୧୨ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ପୂର୍ବରୁ ରେକର୍ଡ କରାଯାଇଥିବା ତାଙ୍କର ଏକ ଅଡିଓ କ୍ଲିପ୍କୁ ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଜାରି କରାଯାଇଛି। ପ୍ରକାଶ ଯେ, ଆଓ୍ବାମି ଲିଗ୍କୁ ଦେଶରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ବାରଣ କରାଯାଇଛି।

