ଢାକା,୧୧ା୫: ଆସନ୍ତା ୨୫ ତାରିଖରୁ ପାକିସ୍ତାନରେ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟି୨୦ ସିରିଜକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ଯୋଗୁ ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଭବିଷ୍ୟତକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଚିନ୍ତା ପ୍ରକଟ କରିଛି। ଏହି ସିରିଜ ଲାଗି ବିସିବି ଅଧିକାରୀମାନେ ଶେର-ଇ-ବାଂଲା ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଏକତ୍ରିତ ହୋଇ ସିରିଜ୍ ସହ ଜଡ଼ିତ ବିପଦ ସମ୍ପର୍କରେ ଆଲୋଚନା କରିଥିଲେ।
ଦଳର ଆଗାମୀ ପାକିସ୍ତାନ ଟୁର ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ ସହ ଚାଲିଥିବା ଆଲୋଚନା ସକ୍ରିୟ ରହିଛି। ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


