Posted inଫୁରସତ

ଓଡ଼ିଶାରେ ବାଲିଯାତ୍ରା

”କାହିଁଗଲା ପୂର୍ବ ଓଡ଼ିଆ ବୋଇତ, କାହିଁ ସେ ନାବିକ ଉଦ୍ଦାମ -ସଙ୍ଗୀତ।
ଜଳପଥେ କାହିଁ ବିଦେଶ ଗମନ, କାହିଁ ପୂର୍ବଖ୍ୟାତି କାହିଁ ପୂର୍ବଧନ।
କଥାରେ ରହିଛି ସବୁ ଆଜି ଯାଏ, ସାଧବାଣୀ ବୋହୂ ବୋଇତ ବନ୍ଦାଏ।“
– ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଲିଖିତ ଏହି କବିତା ପଙ୍‌କ୍ତି ଅତୀତ ଉତ୍କଳ ନୌବାଣିଜ୍ୟର ଐତିହ୍ୟ ଗୌରବକୁ ସ୍ମରଣ କରାଇଥାଏ। ସେତେବେଳେ ମୁଖ୍ୟତଃ ସମୁଦ୍ରପଥଦେଇ ଦେଶବିଦେଶରେ ନୌବାଣିଜ୍ୟ ହେଉଥିଲା। ନୌବାଣିଜ୍ୟ ପାଇଁ ଜଳପଥରେ ସମୁଦ୍ରକୁ ସଂଯୋଗ କରୁଥିବା କେତେକ ନଦୀର ତଟରେ ବେପାର ବଣିଜ ହେଉଥିଲା। ଯାହାକୁ ସ୍ମରଣକରି ପରବର୍ତ୍ତୀ ସମୟରେ ଓଡ଼ିଶାର ଉପକୂଳବର୍ତ୍ତୀ ସମୁଦ୍ର, ନଦୀ, ପୁରାତନ ବନ୍ଦର ଆଦି ସ୍ଥାନରେ ବୋଇତବନ୍ଦାଣ ଉତ୍ସବ ଆୟୋଜନ ହେଲା।

ରେକର୍ଡ କରିବ କଟକ ବାଲିଯାତ୍ରା: କଟକ ଓଡ଼ିଶାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ । ଅତୀତରେ ବିଭିନ୍ନ ଅଞ୍ଚଳରୁ କଟକକୁ ଜଳପଥ ପାରହୋଇ ବିଭିନ୍ନ ସାମଗ୍ରୀ ଆସୁଥିଲା। କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀ ଘାଟରୁ ବାଣିଜ୍ୟ ପୋତଗୁଡ଼ିକ ସାଗର ଅଭିମୁଖେ ଯାଉଥିଲା। ନୌଯାତ୍ରା ପୂର୍ବରୁ ବୋଇତ ବନ୍ଦାଣ ଓ ବାଣିଜ୍ୟ ଉଦ୍ଦେଶ୍ୟରେ ହେଉଥିବା ଜନସମାଗମରୁ ବାଲିଯାତ୍ରା ଅନୁଷ୍ଠିତ ହେଉଥିବା କୁହନ୍ତି ସଂସ୍କୃତି ଗବେଷକମାନେ। ଏହି ବାଲିଯାତ୍ରାର ରହିଛି ଏକ ନିଆରା ଆକର୍ଷଣ। ଯିଏ ଥରେ ବାଲିଯାତ୍ରା ବୁଲିବାକୁ ଆସିଛି ସେ ବାରମ୍ବାର ଆସିଛି। ପ୍ରତିବର୍ଷପରି ଚଳିତବର୍ଷ ରାଜ୍ୟ ସରକାରଙ୍କ ସହଯୋଗରେ କଟକ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ ବାଲିଯାତ୍ରାକୁ ସରସ, ସୁନ୍ଦର କରିବା ଦିଗରେ ବାଲିଯାତ୍ରାକୁ ନୂତନ ଭାବରେ ମନଲୋଭା କରିବାର ପ୍ରୟାସ କରୁଛନ୍ତି। ପ୍ରବଳ ଜନସମାଗମକୁ ନଜରରେ ରଖି ଶାନ୍ତି ଶୃଙ୍ଖଳାର ସହ ଯାତ୍ରାପରିଚାଳନା କରିବାରେ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ଏନ୍‌ସିସି, ସ୍କାଉଟ୍ସ ଓ ଗାଇଡ୍ସ, ଜାତୀୟ ସେବା ଯୋଜନାର କ୍ୟାଡେଟମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଚଳିତ ବର୍ଷ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ଏଠାରେ ‘ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକଡର୍‌ସ’ ପାଇଁ ୧୫ ମିନିଟରେ ୧୦ ହଜାର ଡଙ୍ଗା ତିଆରିର ଏକ ଅଭିନବ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଛି। ଏହି ଡଙ୍ଗା ପ୍ରସ୍ତୁତିରେ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ହଜାର ହଜାର ଜନସାଧାରଣ ସାମିଲ ହେବେ। ସେହିପରି ବାଲିଯାତ୍ରାର ପ୍ରତିସନ୍ଧ୍ୟାରେ ମହାନଦୀର ବିସ୍ତୀର୍ଣ୍ଣ ଜଳରାଶି ଉପରେ ଲେଜର ଲାଇଟ ସାହାଯ୍ୟରେ ଏକ ନିଆରା ଆକର୍ଷଣ ସାଜିବ ଲାଇଟ୍‌ ଆଣ୍ଡ ସାଉଣ୍ଡ । ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କଟକ ଗସ୍ତର ଦୃଶ୍ୟ, କଟକର ଐତିହ୍ୟସମ୍ପନ୍ନ ସ୍ଥାନ ଓ ମହାନ୍‌ ବ୍ୟକ୍ତିବିଶେଷଙ୍କ ଜୀବନୀ ସମେତ ୫ ମିନିଟ୍‌ ଅବଧିର ବିଷୟବସ୍ତୁ ପ୍ରଦର୍ଶିତ ହେବ। ଏଥିପାଇଁ ମୁମ୍ବାଇ ଓ ଦିଲ୍ଲୀରୁ ଆସିଥିବା ଅତ୍ୟାଧୁନିକ ଯନ୍ତ୍ରଗୁଡ଼ିକୁ ଦିଲ୍ଲୀର ବିଶେଷଜ୍ଞ ଦଳ ପରିଚାଳନା କରିବେ। ସେହିପରି କଟକ ବିକାଶର ଚିତ୍ରକୁ ସିଏମ୍‌ସି ଷ୍ଟଲ୍‌ରେ ପ୍ରଦର୍ଶିତ କରାଯାଇ ଲୋକମାନଙ୍କୁ ଅବଗତ କରାଯିବ। ଏଥିରେ ତାଳଦଣ୍ଡା କେନାଲର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟୀକରଣ, ଏସ୍‌ସିବି ମେଡିକାଲ ଉନ୍ନୟନ, ଖାନ୍‌ନଗରଠାରେ ନେତାଜୀ ବସ୍‌ ଟର୍ମିନାଲ ଆଦିର ସବିଶେଷ ଫଟୋଚିତ୍ର ଓ ତଥ୍ୟକୁ ପରିବେଷଣ କରାଯିବ। ଏସ୍‌ଏଚ୍‌ଜି ମହିଳାଙ୍କୁ ୧୦୦ଟି ଷ୍ଟଲ୍‌ରେ ଖାଣ୍ଟି ଓଡ଼ିଆ ଖାଦ୍ୟ ସାମଗ୍ରୀ ସହିତ ସେମାନଙ୍କ ପ୍ରସ୍ତୁତ ହସ୍ତଶିଳ୍ପଗୁଡ଼ିକୁ ବିକ୍ରି କରିବାର ସୁଯୋଗ ସୃଷ୍ଟି କରାଯିବ। ବାଲିଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ବୈଷ୍ଣବ ପାଣିଙ୍କ ମଞ୍ଚ। ଏଠାରେ କଳାସଂସ୍କୃତି ଭାବେ ପାଲା, ଦାସକାଠିଆ, ଘୋଡ଼ାନାଚ, ଓଡ଼ିଶୀ ନୃତ୍ୟ ଆଦି ବିଭିନ୍ନ ଲୋକକଳାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରର ସାଂସ୍କୃତିକ ଦଳ ଦ୍ୱାରା ପରିବେଷଣ ହେବ। ଏଥର ପ୍ରଥମଥର ପାଇଁ ଅଜମେର ଦରଘାର କଳାକାରଗଣଙ୍କ କବାଲି ଦର୍ଶକଙ୍କୁ ନୂଆ ସ୍ବାଦ ଚଖାଇବ। କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ, ଜାବେଦ ଅଲି, କୈଳାସ ଖେର, କ୍ରିଷ୍ଣା ବେଉରାଙ୍କ ସମେତ ନାମୀଦାମୀ କଣ୍ଠଶିଳ୍ପୀ କବାଲି ପରିବେଷଣ କରିବେ ବୋଲି ସୂଚନା ରହିଛି। ଏହାବାଦ୍‌ ଓଡ଼ିଆ ସଙ୍ଗୀତ ଜଗତର ବାଦ୍‌ଶାହା ଅକ୍ଷୟ ମହାନ୍ତିଙ୍କ ନାମରେ ଆଉ ଏକ ମଞ୍ଚ କରାଯିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବାଲିଯାତ୍ରାର କଳେବର ବୃଦ୍ଧି ପାଉଥିବାରୁ ଉପରପଡ଼ିଆ ଓ ମହାନଦୀକୁ ଲାଗି ରହିଥିବା ତଳପଡ଼ିଆରେ ଯାତ୍ରୀମାନଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ଯୋଜନା କରାଯାଇଛି। ବାଲିଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରତିଦିନ ଅପରାହ୍ନରେ ଜିଲାପାଳଙ୍କ ନେତୃତ୍ୱରେ ମହାନଦୀ ଆଳତି କରାଯାଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କଳାକାର, ସାହିତି୍ୟକ, ଆଧ୍ୟାତ୍ମିକ ବ୍ୟକ୍ତିମାନଙ୍କୁ ସାମିଲ କରାଯିବ। ବାଲିଯାତ୍ରାକୁ ପ୍ଲାଷ୍ଟିକମୁକ୍ତକରିବାର ଯୋଜନା ପ୍ରସ୍ତୁତ ହୋଇଛି। ଖାଦ୍ୟ ସାମଗ୍ରୀ, ପାଣି ବୋତଲ, ଥଣ୍ଡା ପାନୀୟ ଆଦିରେ ଏକ କ୍ୟୁଆର କୋଡ୍‌ ଲଗାଯିବ। ଲୋକେ ଜିନିଷର ଧାର୍ଯ୍ୟ ଦରଠାରୁ ୫ଟଙ୍କା ଅଧିକ ଦେଇ ତାହା କିଣିବେ। ସେମାନେ ପ୍ଲାଷ୍ଟିକ ପ୍ୟାକେଟ ଓ ବୋତଲଗୁଡ଼ିକ ଫେରାଇଲେ ଉକ୍ତ ୫ ଟଙ୍କା ଫେରସ୍ତ ପାଇବେ। ଏଥିପାଇଁ ୨୧ଟି ସଂଗ୍ରହ କେନ୍ଦ୍ର ଖୋଲାଯିବ। ବ୍ୟବସାୟୀ ଓ ଲୋକମାନଙ୍କୁ ଏ ବାବଦରେ ସଚେତନ କରାଯିବ। କ୍ୟୁଆର କୋଡ୍‌ ନ ଥିଲେ କେହି ପ୍ଲାଷ୍ଟିକ ବୋତଲ ଓ ପ୍ୟାକେଟ୍‌ ଖାଦ୍ୟ ବିକ୍ରି କରିପାରିବେ ନାହିଁ। ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ମିନାବଜାର, ଦୋଳି, ଠୁଙ୍କାପୁରି, ଚାଟ୍‌, ଗୁପ୍‌ଚୁପ୍‌, ଦହିବରାଆଳୁଦମ୍‌, ଆଇସ୍‌କ୍ରିମ ସାଙ୍ଗକୁ ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ଖାଦ୍ୟର ଷ୍ଟଲ୍‌ ରହିବ। ଏହି ଯାତ୍ରା ଯାତ୍ରୀଙ୍କ ମନରେ ପ୍ରାଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ବିଭବମୟ ସାଂସ୍କୃତିକ ପରମ୍ପରାକୁ ସ୍ମରଣ କରିଥାଏ।

ଚେଳିତୋଳ ବାଲିଯାତ୍ରା: ଉପକୂଳ ଓଡ଼ିଶାର ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଗୋପିଆକୁଦଠାରେ ଅନୁଷ୍ଠିତ ହୁଏ ଚେଳିତୋଳ ବାଲିଯାତ୍ରା। ଐତିହାସିକ ତଥ୍ୟ ଆଧାରରେ ଚେଳିତୋଳ ପୋତାଶ୍ରୟ ନାମ ଅନୁଯାୟୀ ଏହି ବାଲିଯାତ୍ରାର ନାମକରଣ କରାଯାଇଛି। ୨୦୦୨ମସିହାରୁ ଏଠାର ମହାନଦୀ ପଠା ଗୋପିଆକୁଦର ବିସ୍ତୀର୍ଣ୍ଣ ବାଲୁକା ରାଶିରେ ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପ୍ରଥମେ ୨୦୦୧ ମସିହାରେ ସ୍ଥାନୀୟ କିଛି ଉଦ୍ୟମୀ ବୁଦ୍ଧିଜୀବୀମାନେ ଚେଳିତୋଳ ବୋଇତ ବନ୍ଦାଣ ପରିଷଦ ଗଠନକରି ଗୋପିଆକୁଦ ନିକଟରେ ମହାନଦୀର ଜଳରାଶିରେ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରିଥିଲେ। ଏହାର ପରବର୍ଷ ୨୦୦୨ ମସିହାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଲିଯାତ୍ରା ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏଠାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି। କରୋନା କଟକଣା ଲାଗି ଗତ ଦୁଇ ବର୍ଷ କେବଳ ବୋଇତ ବନ୍ଦାଣରେ ସୀମିତ ରହିଥିଲା। ଚଳିତ ବର୍ଷ ଚେଳିତୋଳ ବାଲିଯାତ୍ରା କମିଟି ସଭାପତି ବିଜୟ ଶଙ୍କର ଦାସଙ୍କ ଦ୍ୱାରା ଏକ ପ୍ରସ୍ତୁତି ବୈଠକରେ ଏହି ଯାତ୍ରାକୁ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ହୋଇଛି। ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍‌ ଓ ମଣ୍ଡପ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଦୀର୍ଘ ୭ ଦିନ ଧରି ପ୍ରତ୍ୟେକ ସାରେ ସାଂସ୍କୃତିକ ମହୋତ୍ସବ, ବ୍ୟବସାୟ ବିପଣିମାଳା ସହ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରାକୁ ସରସ ସୁନ୍ଦର ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇଛି। ସାମାଜିକ କର୍ମୀ ବଟକୃଷ୍ଣ ଦାଶ କୁହନ୍ତି, ଚେଳିତୋଳ ବାଲିଯାତ୍ରା ସାଂସ୍କୃତିକ ଜାଗରଣ ସୃଷ୍ଟିକରିଛି। ସ୍ତମ୍ବକାର ପ୍ରମୋଦ କୁମାର ପ୍ରଧାନ କୁହନ୍ତି, ଚେଳିତୋଳ ବାଲିଯାତ୍ରା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିଆସୁଛି। ଚାଇନା ପରିବ୍ରାଜକ ହୁଏନ ସାଂଙ୍କ ଭାରତ ଭ୍ରମଣରେ ଚେଳିତୋଳ ପୋତାଶ୍ରୟ ସମ୍ପର୍କରେ ବର୍ଣ୍ଣନା ସହ ହରେକୃଷ୍ଣ ମହତାବ ମଧ୍ୟ ଏହି ପୋତାଶ୍ରୟ ସମ୍ପର୍କରେ ତାଙ୍କ ରଚନାରେ ସୂଚନା ଦେଇଛନ୍ତି।

ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ:ଜଗତ୍‌ସିଂହପୁର ଜିଲା ପାରାଦୀପର ବତିଘର ପାଖ ବେଳାଭୂମିରେ (ଅଧୁନା ବିଜୁ ମୈଦାନ)ଠାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ପାଳିତ ହେଉଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ୧୯୯୨ରୁ ଏହି ବାଣିଜ୍ୟ ମେଳା ଆରମ୍ଭ ହୋଇଥିଲା। ସେତେବେଳେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ, ଶ୍ରମିକନେତା ସ୍ବର୍ଗତ ବିଭୂତି ପଣ୍ଡା ଓ ଅନ୍ୟ କେତେଜଣ ଉଦ୍ୟୋଗୀ ଯୁବକଙ୍କ ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଥିଲା। କାରଣ ସେହିବର୍ଷ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ଆରମ୍ଭ କରିଥିଲେ। ଏଠାରୁ ନିବେଦିତା ଆଚାର୍ଯ୍ୟ ନାମକ ଜଣେ ଓଡ଼ିଆ ଝିଅଙ୍କୁ ବୋଇତ ଯୋଗେ ଇଣ୍ଡୋନେସିଆ ପଠାଇ ଥିଲେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବନ୍ଦର ଦିବସ ପାଳନ ହେଉଥିବାରୁ ତା’ର ପୂର୍ବଦିନ କଳିଙ୍ଗ ବାଲିଯାତ୍ରା ଆରମ୍ଭ କରାଯାଇଥିଲା। ପାରାଦୀପ କଳିଙ୍ଗ ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ସାରୁ ଆରମ୍ଭ ହୋଇଥାଏ। ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ୩ ବର୍ଷ ଘରୋଇ ଭାବେ ପାଳନ ହୋଇଥିଲା। ପାରାଦୀପର ବିଭିନ୍ନ ଶିଳ୍ପସଂସ୍ଥା, ସଂଘ ଓ ଷ୍ଟଲ୍‌ ଭଡ଼ା ବାବଦରେ ଅର୍ଥ ଆସେ। ଆୟବ୍ୟୟ ସ୍ବଚ୍ଛତା ରଖିବା ପାଇଁ ୧୯୯୬ ମସିହାରୁ ଜିଲା ପ୍ରଶାସନକୁ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ସେହି ଅନୁସାରେ ବାଲିଯାତ୍ରା କମିଟି ହୋଇଛି।

ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ:ଏକଦା ଓଡ଼ିଆ ପୁଅମାନେ ବେପାର ବଣିଜରେ ଧୁରନ୍ଧର ଥିଲେ । ଓଡ଼ିଶାର ନଦୀପଥର ମୁହାଣ, ସୁବିସ୍ତୃତ ସମୁଦ୍ର ସେମାନଙ୍କୁ ଏକ ସୁନୌବାହୀ ଜାତିରୂପେ ପରିଚିତ କରିବା ସହିତ ‘କଳିଙ୍ଗାଃ ସାହସିକାଃ’ ମର୍ଯ୍ୟାଦା ପ୍ରଦାନ କରିଥିଲା। ସେ ସମୟରେ ଓଡ଼ିଶା ଉପକୂଳରେ ଅନେକ ପ୍ରାକୃତିକ ବନ୍ଦର ଓ ପୋତାଶ୍ରୟମାନ ଗଢ଼ିଉଠିଥିଲା। କାର୍ତ୍ତିକ ପୂର୍ଣ୍ଣିମାଦିନ ଧାମରା-ଚାନ୍ଦବାଲି ବନ୍ଦର ଦେଇ ସୁଦୂର ଜାଭା ସୁମାତ୍ରାକୁ ଜଳପଥରେ ବେପାର ବଣିଜ ପାଇଁ ବୋଇତ ମେଲି ଦେଉଥିଲେ ସୌଦାଗର ଅବା ସାଧବ ପୁଅମାନେ । ଆହୁଲାମରା କାଠୁଆ ଡଙ୍ଗାଠାରୁ ଷ୍ଟିମର ପର୍ଯ୍ୟନ୍ତ ଉତ୍କଳୀୟ ନୌବାଣିଜ୍ୟର ସୁବର୍ଣ୍ଣ ଯୁଗର ମୂକସାକ୍ଷୀ, ଧାମରା-ଚାନ୍ଦବାଲି ବନ୍ଦର ଏବେ ଇତିହାସ ପାଲଟିଛି। କିନ୍ତୁ ସେହି ନଦୀ ଅଛି, ସେହି ସମୁଦ୍ର ଅଛି ହେଲେ ସେ ବୋଇତ ନାହିଁ କିମ୍ବା ସେ ସାଧବ ନାହାନ୍ତି । ଖାଲି ଯାହା କାହାଣୀରେ ବଞ୍ଚିଛନ୍ତି ନିଷ୍କପଟ ଧନେଶ୍ୱର ସୌଦାଗର ଏବଂ ବଞ୍ଚିଛି ବି ଖୁଦୁରୁକୁଣୀ ଓଷାର ତଅପୋଇ, ଆଦରର ସାତ ସୌଦାଗର ଭାଇଙ୍କର ଜଳଯାତ୍ରାର କାହାଣୀ । ପ୍ରତିବର୍ଷ କାତ୍ତିର୍ର୍କ ପୂର୍ଣ୍ଣିମାରେ ଦୁଇଦିନ ଧରି ଧାମରା-ଚାନ୍ଦବାଲିର ବୋଇତ ବନ୍ଦାଣ ଉତ୍ସବ ପାଳିତ ହେଉଛି ।  ଧାମରାର ବୋଇତ ବନ୍ଦାଣ କମିଟି ଓ ଚାନ୍ଦବାଲିର ‘ଆମ ପରମ୍ପରା’ ଏହି ଦୁଇ ଅନୁଷ୍ଠାନ ଉଦ୍ୟମରେ ପ୍ରତିବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ ଧାମରା ଓ ଚାନ୍ଦବାଲି ଅଞ୍ଚଳ ମଧ୍ୟରେ ଚାଲୁଛି ଏକ ପ୍ରତୀକ ବାଣିଜ୍ୟ । ଉଭୟ ଅଞ୍ଚଳ ଉତ୍ସବ ମୁଖରିତ ହେଉଛି । ସାଧବ ବେଶରେ ପ୍ରତିବର୍ଷ ୭ ଜଣ ସ୍ଥାନୀୟ ଅଧିବାସୀ ବୈତରଣୀ ନଦୀରେ ଯନ୍ତ୍ରଚାଳିତ ବୋଟ୍‌ରେ ଦୀର୍ଘ ୨୫କିଲୋମିଟର ଜଳଯାତ୍ରା କରିଥାଆନ୍ତି । ସେମାନେ ସାଧବ ନ ହେଲେ ମଧ୍ୟ ସାଧବର ନିଖୁଣ ଅଭିନୟ କରିଥାଆନ୍ତି । ଗୋଟିଏ ବର୍ଷ ଧାମରାରୁ ସାତ ସାଧବ ବୋଇତରେ ଚାନ୍ଦବାଲି ଆସୁଥିବା ବେଳେ ପରବର୍ଷ ଚାନ୍ଦବାଲିରୁ ସାତ ସାଧବ ବୋଇତରେ ଧାମରାକୁ ଯାଉଛନ୍ତି । ଏହା ଫଳରେ ଉଭୟ ଅଞ୍ଚଳର ଲୋକମାନେ ସାଂସ୍କୃତିକ ଭାବଧାରାରେ ବାନ୍ଧିହୋଇଛନ୍ତି । ତେବେ ଧାମରା ଭୂଖଣ୍ଡର ଅଧିଷ୍ଠାତ୍ରୀ ଦେବୀ ମା’ଧାମରାଈ । ତାଙ୍କ ନାମ ଧରିଲେ ଜଳଯାତ୍ରାର ସମସ୍ତ ବାଧା ହଟିଥାଏ । ସେହିପରି ଚାନ୍ଦବାଲି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ । ଯାହାଙ୍କ କରୁଣା ସମସ୍ତଙ୍କର ଲୋଡ଼ା । ସାଧବଙ୍କ ସନନ୍ଦ ପାଠରେ ସ୍ଥାନ ପାଇଥାଏ ଉଭୟ ଦେବୀଙ୍କର ଗୁଣଗାନ । ସେଦିନ ପରି ଆଜି ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ପାଳନ ଅବସରରେ କାଳୀମନ୍ଦିର ଓ ଧାମରାଈ ମନ୍ଦିରରେ ଏହି ଅବସରରେ ପୂଜାର୍ଚ୍ଚନା କରି ସାଧବମାନେ ଆଶିଷ ଭିକ୍ଷା କରି ଜଳଯାତ୍ରା ଆରମ୍ଭ କରିଥାଆନ୍ତି । କାଳୀମନ୍ଦିର ଓ ଧାମରାଈ ମନ୍ଦିରରେ ଏହି ଅବସରରେ ପୂଜାର୍ଚ୍ଚନା ହୋଇଥାଏ ା ପରମ୍ପରା ଓ ପ୍ରତୀକ ବାଣିଜ୍ୟ-ଧାମରାର ଧାମରାଈ ଘାଟ ଓ ଚାନ୍ଦବାଲିର ଶାସ୍ତ୍ରୀଘାଟରେ ମହିଳାମାନେ ସାଧବମାନଙ୍କୁ ବନ୍ଦାପନା କରିବାକୁ ଏକତ୍ରିତ ହୋଇଥାଆନ୍ତି । ସାଧବମାନଙ୍କ ସାଙ୍ଗରେ ରହିଥାଏ ବିଭିନ୍ନ ବାଣିଜି୍ୟକ ଦ୍ରବ୍ୟର ପସରା ା ପ୍ରତୀକ ବ୍ୟବସାୟରେ ଉଭୟ ଅଞ୍ଚଳରୁ ଅଣାଯାଇଥିବା ବ୍ୟବସାୟିକ ଦ୍ରବ୍ୟ ଯେମିତିକି କଉଡି, ଗୁଆ, ମସଲା, ମୁଦ୍ରା ଆଦି ପଣ୍ୟଦ୍ରବ୍ୟର ଆଦାନ ପ୍ରଦାନ ହୋଇଥାଏ । ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ । ବୋଇତ ବନ୍ଦାଣ ଉତ୍ସବ ଧାମରାରେ ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା ବେଳେ ୨୦୦୨ ମସିହାରେ ଚାନ୍ଦବାଲି ଅଞ୍ଚଳର ଲୋକମାନେ ସହଯୋଗ କରିଛନ୍ତି । ଏହି ଅବସରରେ ଧାମରା ମାଛଧରା ପୋର୍ଟପଡିଆ ଓ ଚାନ୍ଦବାଲି କାଳୀପଡିଆରେ ଆୟୋଜିତ ହେଉଛି ବାଲିଯାତ୍ରା । ଦୁଇ ଦିନ ଧରି ସାଂସ୍କୃତି କାର୍ଯ୍ୟକ୍ରମ ଓ ବାଲିଯାତ୍ରାରେ ମଜା ନେଉଛନ୍ତି ଦୁଇ ଅଞ୍ଚଳବାସୀ । 

ଭୁବନେଶ୍ୱର ବଲିଯାତ୍ରା:ରାଜଧାନୀ ଭୁବନେଶ୍ୱରରେ ବର୍ଷର ବିଭିନ୍ନ ସମୟରେ ନାନା ପ୍ରକାରର ମେଳାମହୋତ୍ସବ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳେ। ତେବେ ଭୁବନେଶ୍ୱର ଉପକଣ୍ଠସ୍ଥ କୁଆଖାଇ ନଦୀପଠାରେ କାର୍ତ୍ତିକପୂର୍ଣ୍ଣିମା ଅବସରରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏଠାରେ ବହୁସଂଖ୍ୟାରେ ବିଭିନ୍ନ ଦୋକାନ ପଡ଼ିବାର କାର୍ଯ୍ୟକ୍ରମ ରହିଛି। ଲୋକମାନଙ୍କ ଯାତାୟାତ ପାଇଁ ଯାତ୍ରାପଡ଼ିଆ ଭିତରେ ଅସ୍ଥାୟୀ ରାସ୍ତା ଏବଂ ନଦୀପଠାରେ ଆଲୋକ ବ୍ୟବସ୍ଥା ନିମନ୍ତେ ଭୁବନେଶ୍ୱର ବାଲିଯାତ୍ରାକମିଟି ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ପ୍ରଶାସନ ଓ ଯାତ୍ରାକମିଟି ସହଯୋଗ କରୁଛି। ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସେଇବା ସହିତ ଏଠାରେ ଆୟୋଜିତ ବାଲିଯାତ୍ରାକୁ ବୁଲି ଦେଖିପାରିବେ।

ଚିଲିକା ବୋଇତ ବନ୍ଦାଣ ଓ ଚଣ୍ଡେଶ୍ୱର ମେଳା:କଥାରେ ଅଛି ସାତ ସମୁଦ୍ର ତେର ନଈ ପାରହୋଇ ବୋଇତନେଇ ଯାଉଥିବା ସାଧବ ପୁଅ ଦକ୍ଷିଣ- ପୂର୍ବ ଏସିଆରେ ସ୍ଥାପନ କରିଥିଲେ ଅନେକ ଉପନିବେଶ। ଏକଥା ସତ ଯେ ଅତୀତରେ ଗଙ୍ଗାଠାରୁ ଗୋଦାବରୀ ଯାଏ ଉତ୍କଳର ବିସ୍ତୃତି ରହିଥିଲା। ଏହାର ଉପକୂଳରେ ଅନେକ ବନ୍ଦର ଥିବାର ଲକ୍ଷ୍ୟ କରାଯାଏ। ଚିଲିକାରେ ନୌବାଣିଜ୍ୟ ପରମ୍ପରା ଅତି ପୁରାତନ। ଅତୀତରେ ଦକ୍ଷିଣ ଭାରତରୁ ପର୍ଯ୍ୟଟକମାନେ ପୁରୀ ଆସିବା ପାଇଁ ଚିଲିକାପଥକୁ ଗୁରୁତ୍ୱ ଦେଉଥିଲେ। କାଳକ୍ରମେ ଅନେକ ପରିବର୍ତ୍ତନ ଘଟିଛି । ଚିଲିକାର ଦିନେ ସାଧବ ପୁଅମାନେ ବୋଇତ ଯାତ୍ରା କରିଥିବାର ଇତିହାସରୁ ଜଣାପଡ଼େ । ଚିଲିକାର କଳିଯୁଗେଶ୍ୱର ବା ଦୀପମୁଣ୍ଡିଆ ବତିଘର ଭାବେ ବୋଇତକୁ ଦିଗ୍‌ଦର୍ଶନ କରୁଥିଲା। ଚିଲିକାର ଉପକୂଳ ଅଞ୍ଚଳର ବଣିକମାନେ ଚିଲିକା ମଧ୍ୟ ଦେଇ ମଗରମୁଖା ଓ ପାଲୁର ମୁହାଣ ଦ୍ୱାରା ବୋଇତଗୁଡ଼ିକୁ ସମୁଦ୍ରରେ ପ୍ରବେଶ କରାଉଥିଲେ। ସୁଦୂର ପ୍ରାଚ୍ୟ ଓ ପାଶ୍ଚାତ ଦେଶରେ ବାଣିଜ୍ୟ କରୁଥିଲେ। ଚିଲିକାର ମାଣିକପାଟଣା ଏବଂ ପାଲୁର ଉପକୂଳ ଓ ପୋତରଗଡ଼ରୁ ବୋଇତ ଯାଉଥିବାର ସଙ୍କେତ ମିଳେ। କିନ୍ତୁ ବାଲୁଗାଁ -ଚିଲିକା କୂଳରେ ପ୍ରାୟ୨ଦଶନ୍ଧିରୁ ଅଧିକ ବର୍ଷ ଧରି ପ୍ରତିବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଥାଏ । ସେହିପରି ପାରିକୁଦ ଚିଲିକା ନୌଘାଟରେ ଏବଂ ଜହ୍ନିକୁଦ ଏବଂ ଚକାନାସୀଠାରେ ଉତ୍ସବ ପାଳନ ହୁଏ। ମାତ୍ର ଚିଲିକା ନିକଟବର୍ତ୍ତତ୍ତୀ ଚଣ୍ଡେଶ୍ୱର ଗ୍ରାମରେ ଶ୍ରୀଚଣ୍ଡେଶ୍ୱରଦେବଙ୍କ ପୀଠରେ ପ୍ରାୟ ୧୫ ଦିନଧରି କାର୍ତ୍ତିକ ପୂଣ୍ଣିମାମେଳା ପଡ଼ିଥାଏ। ଏହି ଯାତ୍ରାରେ ବିଭିନ୍ନ ଘର କରଣା, ସମେତ ନାନାପ୍ରକାରର ସାମଗ୍ରୀ କିଣାବିକା ହେଉଥିବାର ଦେଖିବାକୁ ମିଳେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଏଠାକୁ ଆସିଥାନ୍ତି। ଚଣ୍ଡେଶ୍ୱର ଦେବ ମନ୍ଦିର ଟ୍ରଷ୍ଟ କମିଟି ଦ୍ୱାରା ଏହା ପରିଚାଳିତ ହୋଇଥାଏ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ଟାଙ୍ଗୀ, ବାଲୁଗାଁ , କୁହୁଡ଼ି ପୋଲିସ ଏବଂ ସ୍ଥାନୀୟ କଲେଜ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରମାନେ ସହଯୋଗକରିଥାନ୍ତି। ଅନ୍ୟପକ୍ଷେ ପୁରୀ, ରାମଚଣ୍ଡୀ ,ଗୋପାଳପୁର, ଚାନ୍ଦିପୁର ଆଦି ବେଳାଭୂମି ସମେତ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ବୋଇତବନ୍ଦାଣ ଉତ୍ସବ ପାଳନ ହେଉଥିବାବେଳେ କେତେକସ୍ଥାନରେ ମେଳାମହୋତ୍ସବ ହୋଇଥାଏ। ତେବେ ଉତ୍କଳର ନୌବାଣିଜ୍ୟ ସମ୍ପର୍କରେ ବିଭିନ୍ନ ପୁରାଣଶାସ୍ତ୍ର, ଇତିହାସ ଓ ଭୌଗୋଳିକ ନୌବାଣିଜ୍ୟ ଓ ମେଳା ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।ସମୟ କ୍ରମେ ଓଡ଼ିଆ ପୁଅ ଆଉ ନୌବାଣିଜ୍ୟ ପାଇଁ ବୋଇତରେ ଦରିଆ ପାରି ହେଉନି। ପୁରାତନ ନୌବାଣିଜ୍ୟର ପତନ ଘଟିଛି ମାତ୍ର ଉତ୍କଳୀୟ କଳାସଂସ୍କୃତି ପର୍ବପର୍ବାଣି ମଧ୍ୟରେ ବୋଇତବନ୍ଦାଣ ଅତୀତର ପୂର୍ବଗୌରବକୁ ସ୍ମରଣ କରାଉଛି।

-ବନବିହାରୀ ବେହେରା, ଅଶୋକ ପଣ୍ଡା, କାର୍ତ୍ତିକ ସାହୁ, ଶରତକୁମାର ରାଉତ, ଗୌରାଙ୍ଗ ଚରଣ ସ୍ବାଇଁ

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri