ବାଲେଶ୍ବର FM ଟ୍ରାଜେଡି: ସରକାରଙ୍କଠୁ ଟଙ୍କା ନେଇ ଡିଲ୍‌ କରିବା ଅପପ୍ରଚାର, ଥାନାରେ ଏତଲା

ବାଲେଶ୍ବର,୧୬।୭: ବାଲେଶ୍ବର ଜିଲାର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ମୃତ ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ଏକ ଏତଲା (FIR) ଦାଖଲ କରିଛନ୍ତି, ଯେଉଁଥିରେ ସୋସିଆଲ ମିଡିଆରେ ଅପପ୍ରଚାର ଏବଂ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହୀନ ଉଦ୍ୟମ ଚାଲିଥିବା ଅଭିଯୋଗ କରାଯାଇଛି।

ଏତଲାରେ ମୃତ ଛାତ୍ରୀଙ୍କ ଭାଇ ଦର୍ଶାଇଛନ୍ତି ଯେ, ୪ ଜଣଙ୍କ ନାମ ସହ ଆଉ କେତେକ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ରହିଛେ। ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ସହ ଡିଲ କରି ଟଙ୍କା ନେଇ କେତେକ ଲୋକ ମୃତ ଭଉଣୀଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଓ କୁତ୍ସାରଟନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଅପପ୍ରଚାର ଜାରି ରହିଥିବା ସେ ଦାବି କରିଛନ୍ତି। ଏହାସହ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଚେତାବନୀ ଦେଇଛନ୍ତି ଯେ, ଯଦି ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳେ ନାହିଁ, ତେବେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ଜୁଲାଇ ୧୨ରେ ଘଟିଥିଲା, ଯେତେବେଳେ ସେ କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର AIIMSରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୬୦ ଘଣ୍ଟାରୁ ଅଧିକ ସମୟ ଜୀବନ ମରଣ ସହ ସଂଗ୍ରାମ କରିବା ପରେ ସୋମବାର ରାତି ୧୧:୪୬ରେ ସେ ମୃତ୍ୟୁବରଣ କରିଥିଲେ। AIIMSର ବର୍ନ୍ସ ସେଣ୍ଟର ସୂଚନା ଅନୁଯାୟୀ, ତାଙ୍କ ଦେହର ୯୫% ପୋଡ଼ି ଯାଇଥିଲା ଏବଂ କିଡ଼ନୀ କ୍ଷତିଗ୍ରସ୍ତ ହୋଇଥିଲା।

ଏହି ଘଟଣା ପୂର୍ବରୁ ସୌମ୍ୟାଶ୍ରୀ କଲେଜର ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ଜୁନ୍ ୩୦ରେ ପ୍ରିନ୍ସିପାଲଙ୍କ ଚାମ୍ବରରେ ଏହି ଅଭିଯୋଗ ଉଠାଇଥିଲେ ଏବଂ ଜୁଲାଇ ୧ରେ ସୋସିଆଲ ମିଡିଆରେ ନ୍ୟାୟ ମାଗି ପୋଷ୍ଟ କରିଥିଲେ। ଜୁଲାଇ ୨ରେ ସେ ଆତ୍ମହତ୍ୟା ଧମକ ଦେଇଥିଲେ, କିନ୍ତୁ କଲେଜ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗରେ କୌଣସି ପଦକ୍ଷେପ ନେଇ ନ ଥିଲେ।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜୁଲାଇ ୧୨ରେ କଲେଜର ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଚଓଡି ସମୀର ସାହୁଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଛି। ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ବିଜେଡି ଦଳ ବାଲେଶ୍ବରରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ଭୁବନେଶ୍ବରରେ ଲୋକସେବା ଭବନ ଘେରାଉ କରି ନ୍ୟାୟ ଦାବି କରିଛି। ଏହାକୁ ଭାଜପା ଏମପି ଓ ବିଧାୟକମାନେ ରାଜନୈତିକ ଷଡ଼ଯନ୍ତ୍ର ବୋଲି ସମାଲୋଚନା କରିଛନ୍ତି। ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ କହିଛନ୍ତି ଯେ, ବିରୋଧୀ ଦଳର କର୍ମୀମାନେ ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ, ଯାହା ଏହି ଘଟଣାକୁ ଆହୁରି ଜଟିଳ କରିଛି।

Share
Tags: Balasore