ବାଲେଶ୍ୱର,୪।୮: ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ଛାତ୍ର ଓ ଜଣେ ଅଣଛାତ୍ର ରହିଛନ୍ତି। ସେମାନେ ହେଲେ ଛାତ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଫଳରେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୪ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଜ୍ୟୋତି ପ୍ରକାଶ ବିଶ୍ୱାଳ ଉଦ୍ଧାର କରିଥିଲେ। ଜ୍ୟୋତି ମଧ୍ୟ ନିଆଁରେ କିଛି ପୋଡ଼ି ଯାଇ ଚିକିତ୍ସିତ ହେଉଥିଲେ।