ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି। ଏହି ଗ୍ରାମରେ ୭ରୁ ୮ଟି ସlହିରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରୁଛନ୍ତି। ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବର୍ତ୍ତମାନ ରାସ୍ତା ମରାମତି କାର୍ଯ୍ୟ ଚାଲିଛି। ଗ୍ରାମ ପ୍ରବେଶଠାରୁ ଶେଷ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ନୂତନ ରାସ୍ତାରେ ଅଧିକ ଡଷ୍ଟ ଯୋଗୁ ଘରଦ୍ୱାର ଅଳିଆ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଉ ମାତ୍ର ଦିନ କେଇଟା ପରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହେବ। ହଜାର ହଜାର ଲୋକ ଯାତ୍ରା ଦେଖିବାକୁ ଆସିବେ। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ସହ ଉକ୍ତ ଗ୍ରାମରେ ଦୁଇଟି ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ଓ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୁଇଟି ସ୍କୁଲ ରହିଛି l କିନ୍ତୁ ସ୍କୁଲ ମଧ୍ୟ ଅବ୍ୟବସ୍ଥା ମଧ୍ୟରେ ଥିବା ଦେଖିବାକୁ ମିଳିଛି। ପ୍ରତି ବର୍ଷ ଉକ୍ତ ଗ୍ରାମରେ ଶ୍ରୀଗୁଣ୍ଡିଚା ଦିନ ଜଗନ୍ନାଥଙ୍କ ପୂଜା ଯଥା ରୀତିନୀତି ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।