ବଲାଙ୍ଗୀର,୯ା୭(ସୁନୀଲ କୁମାର ମହାନ୍ତି): ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଡାକରା ଯୋଗୁ ବଲାଙ୍ଗୀର ଜିଲାରେ ଜନଜୀବନ ବ୍ୟାହତ ହୋଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ବିଭିନ୍ନ ଶ୍ରମିକ ସଂଗଠନ, ବ୍ୟାଙ୍କ କର୍ମଚାରୀ କାର୍ଯ୍ୟ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି। ବିଭିନ୍ନ ବ୍ୟାଙ୍କ, ବୀମା ପ୍ରତିଷ୍ଠାନ, ସରକାରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଲି କରାଯାଇଛି। କେନ୍ଦ୍ର ସରକାର ଶ୍ରମିକମାନଙ୍କ ଅଧିକାର କ୍ଷୁଣ୍ଣ କରିବା ପାଇଁ ୨୭ଟି ଶ୍ରମ ଆଇନକୁ ଭାଙ୍ଗିଦେଇ ୪ଟି ଶ୍ରମ କୋଡ୍ ତିଆରି କରି ତାକୁ ଲାଗୁ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ।
ଶ୍ରମିକ ବିରୋଧୀ ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ବିଭିନ୍ନ ବ୍ୟାଙ୍କ, ଗାଡିମୋଟର ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ବିଭିନ୍ନ ସ୍କିମ୍ରେ କାମ କରୁଥିବା ଅଙ୍ଗନଓ୍ବାଡି, ଆଶାକର୍ମୀ, ପାଚିକା ବା ଉଦ୍ୟାନ ସାଥୀ ଭଳି ଶ୍ରମିକଙ୍କୁ ଶ୍ରମିକ ମର୍ଯ୍ୟାଦା ଦେବା, ସେମାନଙ୍କୁ ପାରିଶ୍ରମିକ ଭାବେ ମାସିକ ୨୬ ହଜାର ଟଙ୍କା ବେତନ ଦିଆଯିବା ଏବଂ ଅବସର ପରେ ମାସିକ ୧୦ ହଜାର ଟଙ୍କା ପେନ୍ସନ୍ ଦିଆଯିବା ଦାବି କରାଯାଉଛି। ଓଡ଼ିଶା ସେଲସ ରିପ୍ରେଜେଣ୍ଟେଟିଭ୍ ୟୁନିଅନ, ୟୁନାଇଟେଡ ଟ୍ରେଡ୍ ୟୁନିୟନ, ବ୍ୟାଙ୍କ କର୍ମଚାରୀ ସଂଘ, ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।


