ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ ପୂର୍ବରୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଥିଲା। “ଉତ୍କଳ ପ୍ରଦେଶ ଗଠନରେ ତତ୍କାଳୀନ ବଡ଼ଖେମୁଣ୍ଡି ବର୍ତ୍ତମାନର ଦିଗପହଣ୍ଡିର ଅବଦାନ” ଶୀର୍ଷକ ଆଲୋଚନାଚକ୍ରରେ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ କମଳିନୀ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ।
ମୁଖ୍ୟ ଆଲୋଚକ ରୂପେ ଇତିହାସ ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ ଯୋଗ ଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଭୂମିକା ସମ୍ପର୍କରେ ତଥ୍ୟ ଭିତ୍ତିକ ଉଦବୋଧନ ଦେଇଥିଲେ। ଉତ୍କଳ ସ୍ବାଭିମାନ ମଞ୍ଚର ଦକ୍ଷିଣାଞ୍ଚଳ ପ୍ରମୁଖ ତଥା ଶିକ୍ଷାବିତ ମୃତୁଞ୍ଜୟ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ ଓଡିଶା ପ୍ରଦେଶ ଗଠନର ଇତିହାସ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ରୂପେ କବିସୂର୍ଯ୍ୟ ସ୍ମୁତି ପରିଷଦର ସମ୍ପାଦକ ତଥା ଆଇନଜୀବୀ କୁରେଶୁ ପଣ୍ଡା ଯୋଗଦେଇ ଉତ୍କଳୀୟ ସଂସ୍କୃତିର ମହାନତା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଖେମୁଣ୍ଡି ଇତିହାସବିତ୍ ଡ଼. ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଉତ୍କଳ ପ୍ରଦେଶ ଗଠନର ଇତିହାସ ଏବଂ ଉତ୍କଳୀୟ ମହାପୁରୁଷଙ୍କ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହକାରୀ ଶିକ୍ଷୟିତ୍ରୀ ମମତା ଦେବୀ, ସୁନୀତା ମହାଙ୍କୁଡ଼,ତୃପ୍ତି କୁମାରୀ ସାମଲ,ଶିବାନୀ ସାହୁ, ଶିକ୍ଷକ ସୁନୀଲ ମହାନ୍ତି, ସିମାଞ୍ଚଳ ରେଡ୍ଡୀ, ଲୋକନାଥ ସେଠୀ, ୟୁ.ଗୋପାଳ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

