ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ପରୀକ୍ଷାଫଳରେ ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର( ଓଡ଼ିଆ ବିଭାଗ)ର ଛାତ୍ରୀ ବବିତା ରଥ ୫୮୪ମାର୍କ(୯୭.୩୩ ପ୍ରତିଶତ) ରଖି ରାଜ୍ୟରେ ଯୁଗ୍ମ ଟପ୍ପର ହୋଇଛନ୍ତି । ଏହି ସଫଳତାରେ ସେ ରାଜ୍ୟରେ ଜିଲା ପାଇଁ ଗୌରବ ଆଣିଛନ୍ତି। ଶନିବାର ଜିଲାପାଳ ଆଦିତ୍ୟ ଗୋୟଲ କୃତୀଛାତ୍ରୀ ବବିତା ଏବଂ ତାଙ୍କ ବାପା ସନ୍ତୋଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମା, ବାପା, ଗୁରୁଜନଙ୍କ ଆଶିର୍ବାଦ ନେଇ ଆଗକୁ ମଧ୍ୟ ଭଲ ପାଠ ପଢିବା ଏବଂ ଜୀବନର ଲକ୍ଷ୍ୟ ପୂରଣ ପାଇଁ ଜିଲାପାଳ ଗୋୟଲ ବବିତାଙ୍କୁ ଉପଦେଶ ଦେଇଥିଲେ । ବରଗଡ଼ ଜିଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ବିନୟ ପ୍ରକାଶ ସଏ, ଜିଲା ବିଜ୍ଞାନ ନିରୀକ୍ଷକ ଧିରଜ ପଟ୍ଟନାୟକ ଉପସ୍ଥିତ ରହି ଜିଲାର ଗର୍ବ ଓ ଗୌରବ ବବିତାଙ୍କୁ ଶୁଭେଛା, ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ରେ ମଧ୍ୟ ଶନିବାର ପୂର୍ବାହ୍ନରେ ବବିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବବିତା ମାତୃଭାଷା ଓଡିଆରେ ୯୭, ଇଂରାଜୀରେ ୯୮, ସଂସ୍କୃତରେ ୯୮, ଗଣିତରେ ୯୮, ସାଧାରଣ ବିଜ୍ଞାନରେ ୯୮ ଏବଂ ସାମାଜିକ ବିଜ୍ଞାନରେ ୯୫ ମାର୍କ ରଖିଛନ୍ତି । ଡାକ୍ତର ହେବାକୁ ସେ ଲକ୍ଷ୍ୟ ରଖିଥିବା ବବିତା କହିଛନ୍ତି। ସେ ଆହୁରି କହିଛନ୍ତି, ପଢ଼ିବା ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ସମୟସୀମା ଚୂଡ଼ାନ୍ତ କରି ନଥିଲି। ହେଲେ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ପ୍ରତ୍ୟେକ ବିଷୟ ଉପରେ ପଢ଼ିବା ପାଇଁ ନିୟମିତ ଏକ ଟାର୍ଗେଟ୍ ରଖୁଥିଲି ଏବଂ ତାହା ସରିବା ପର୍ଯ୍ୟନ୍ତ ପଢୁଥିଲି। ଆଗରୁ ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ପଠାଣୀ ସାମନ୍ତ, ବ୍ରହ୍ମଗୁପ୍ତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି। ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ପାଇବି ବୋଲି ଆଶା ରଖିଥିଲି। କିନ୍ତୁ ୯୮ମାର୍କ ରଖିଛି। ବାପା ସନ୍ତୋଷ ଏକ ବହି ଦୋକାନ କରିଥିବା ବେଳେ ମା ରୀନା ଗୃହିଣୀ ଅଟନ୍ତି ବୋଲି ବବିତା କହିଛନ୍ତି।