ବି.ଏଡ୍‌. ନାମଲେଖା ସ୍ଥଗିତ: ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨ପ୮ା୬(ସୁଚିସ୍ମିତା ସାହୁ):ଦୁଇବର୍ଷିଆ ବି.ଏଡ୍‌(କଳା ଓ ବିଜ୍ଞାନ), ବିଏଚ୍‌.ଏଡ୍‌ ଓ ଏମ୍‌.ଏଡ୍‌ରେ ନାମଲେଖାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏଥିଲାଗି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଓ ନାମଲେଖ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନାମଲେଖା ପାଇଁ ଅଫ୍‌ଲାଇନ୍‌ରେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି। ପ୍ରଶ୍ନପତ୍ର ଅନୁଯାୟୀ ଅଧିକ ମାର୍କ ପାଇବାକୁ ଆଶାବାଦୀ ଥିବାବେଳେ ସ୍କୋର୍‌ କାର୍ଡରେ କିନ୍ତୁ କମ୍‌ ମାର୍କ ରହିଛି। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ମେଧା ତାଲିକା ପ୍ରକାଶ କରା ନ ଯାଇ ସିଧାସଳଖ ସ୍କୋର କାର୍ଡ ପ୍ରକାଶ କରାଯାଇଥିବାରୁ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିରେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ। ଏହାକୁ ବିଭାଗ ଗୁରୁତ୍ୱର ସହ ନେଇ ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଯାଞ୍ଚ ପରେ ୮ଜଣ ପରୀକ୍ଷାର୍ଥୀଙ୍କ କୋଡିଂରେ ଭୁଲ୍‌ ହୋଇଥିବା ନେଇ ଏସ୍‌ଏସ୍‌ବି ପକ୍ଷରୁ ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଛି। ଏହାପରେ ଉଚ୍ଚଶିକ୍ଷା ବିଭାଗ ବି.ଏଡ୍‌, ଏମ୍‌.ଏଡ୍‌, ବିଏଚ୍‌.ଏଡ୍‌ ନାମଲେଖାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଏଥିସହ ଏସ୍‌ଏସ୍‌ବି ପକ୍ଷରୁ ପରୀକ୍ଷା ଖାତା ଏବଂ ମାର୍କକୁ ପୁନଃ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଘଟଣାର ସମସ୍ତ ତଦନ୍ତ ଶେଷ ହେବା ପରେ ପୁନଃ ନାମଲେଖା ପାଇଁ ତାଲିକା ପ୍ରକାଶ କରାଯିବ। ଏ ସମ୍ପର୍କରେ ସାମ୍‌ସ ପୋଟାଲରେ ନାମଲେଖା ତାରିଖ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।