ସରକାରୀ ଜାଗାରେ ବେଆଇନ ଘର ଭାଙ୍ଗିଲା ପ୍ରଶାସନ

ବାଲିଆପାଳ, ୧୨।୫(ସ୍ବ.ପ୍ର.):  ବାଲିଆପାଳ କଚୁଆପଡ଼ା ଗ୍ରାମର ଇଡ୍‌କୋ ଛକ ନିକଟ ସରକାରୀ ଜମିରେ ଶାବୁଦ୍ଦିନ ଶାହାଙ୍କ ବେଆଇନ ପକ୍କା ଘରକୁ ବୁଧବାର ଉଚ୍ଛେଦ କରି ପ୍ରଶାସନ ଜବରଦଖଲମୁକ୍ତ କରିଛି। ପୋଲିସକୁ ଚକ୍‌ମା ଦେଇ ଶାବୁଦ୍ଦିନ ଫେରାର ଥିବାରୁ ପ୍ରଶାସନ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ।
ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଓ ଆଇଆଇସି ପର୍ଶୁରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଚ୍ଛେଦ କାର୍ଯ୍ୟ କରାଯାଇଛି। ୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ବାଲିଆପାଳ ପୋଲିସ ଉକ୍ତ ସ୍ଥାନକୁ ସୁରକ୍ଷା ବଳୟରେ ଘେରି ରହିଥିଲେ। ଏହି ବେଆଇନ ପକ୍କା ଘରକୁ ଉଚ୍ଛେଦ ପାଇଁ ଏପ୍ରିଲ ୨୮ ଓ ୨୯ ତାରିଖରେ ଭାଜପା ପକ୍ଷରୁ ବାଲିଆପାଳ ଥାନା ଆଗରେ ଧାରଣା ଦିଆଯାଇଥିଲା। ଧାରଣାରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇଥିଲେ। ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଓ ବସ୍ତା ଏସ୍‌ଡିପିଓ ଜଳନ୍ଦର ଜାଲି, ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ଉପସ୍ଥିତ ରହି ୩ଦିନ ଭିତରେ ଶାବୁଦ୍ଦିନଙ୍କୁ ଗିରଫ କରିବା ଓ ତାଙ୍କ ବେଆଇନ ପକ୍କା ଘରକୁ ଏକ ସପ୍ତାହ ମଧ୍ୟରେ ଭଙ୍ଗାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଶାବୁଦ୍ଦିନ ଫେରାର ଥିବାରୁ ପୋଲିସ ଲଗାତାର ଭାବରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ମାତ୍ର ଗିରଫ କରିବାରେ ପୋଲିସ ବିଫଳ ହୋଇଥିବାବେଳେ ତହସିଲଦାର ତାଙ୍କ କଥା ରକ୍ଷା କରି ବୁଧବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶାବୁଦ୍ଦିନଙ୍କ ପକ୍କା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି।