ସିଡ୍ନୀ,୧୬ା୧୨: ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ବଣ୍ଡାଇ ବିଚ୍ରେ ରବିବାର ହିହୁଦୀଙ୍କ ହାଣ୍ଡୁକ୍କା ଉତ୍ସବର ପ୍ରଥମ ଦିନରେ ୨ ବନ୍ଧୁକଧାରୀଙ୍କ ଗୁଳିମାଡ଼ରେ ୧୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଅଷ୍ଟ୍ରେଲିଆରେ ପ୍ରାୟ ୩୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ଗଣଗୁଳିକାଣ୍ଡ ଘଟଣା। ଏହି ଗୁଳିକାଣ୍ଡ ପଛରେ ବାପପୁଅ ସମ୍ପୃକ୍ତ ଥିବା ପୋଲିସ କହିବା ପରେ ଅଷ୍ଟ୍ରେଲିଆ ସରକାର ବନ୍ଧୁକ ଆଇନକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସ ଗୁଳିରେ ୫୦ ବର୍ଷୀୟ ବନ୍ଧୁକଧାରୀ ନିହତ ହାଇଥିବାବେଳେ ତାଙ୍କ ୨୪ ବର୍ଷୀୟ ପୁଅ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ସେବା କର୍ତ୍ତୃପକ୍ଷ ସହ ଆକ୍ରମଣକାରୀ ଜଣାଶୁଣା ବୋଲି କୁହାଯାଉଛି। ତେବେ ସେମାନଙ୍କର ଆକ୍ରମଣ ଯୋଜନାର କୌଣସି ସୂଚନା ପୂର୍ବରୁ ମିଳି ନ ଥିଲା। ପୋଲିସ କହିବା ଅନୁଯାୟୀ, ଆକ୍ରମଣକାରୀ ୨୦୧୫ରୁ ବନ୍ଧୁକ ସମେତ ୬ଟି ପଞ୍ଜୀକୃତ ଅସ୍ତ୍ର ପାଇଁ ଲାଇସେନ୍ସ ହାସଲ କରିଥିଲେ। ଗୁଳିମାଡ଼ରେ ଆହତ ୪୦ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ପୋଲିସ ଅଫିସର ରହିଛନ୍ତି।
ଦେଶର ବନ୍ଧୁକ ଆଇନ କଠୋର କି ନୁହେଁ, ତାହା ସମୀକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି। ଇହୁଦୀଙ୍କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଜାତୀୟ ବନ୍ଧୁକ ଆଇନକୁ ଅଧିକ କଡ଼ାକଡ଼ି କରିବା ନିମନ୍ତେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ୍ଙ୍କ କ୍ୟାବିନେଟ ସହମତ ହୋଇଛି।


