ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ ପୋଡାବାଉଁଶରୁ ଶୁଭାରମ୍ଭ ହୋଇଛି। ଏଥିନିମନ୍ତେ ଚନ୍ଦନେଶ୍ୱର ଶୈବପୀଠରେ ସୋମବାର ୭ ଅର୍ଘ୍ୟରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଅସଂଖ୍ୟ ଶୈବଭକ୍ତ ଆଗମନରେ ଶୈବପୀଠ ମୁଖରିତ ହୋଇଛି। ସୋମବାର ପ୍ରତ୍ୟୁଷରୁ ଜୀଉଙ୍କ ନୀତିକାନ୍ତି ପୂଜାର୍ଚ୍ଚନା, ଭକ୍ତି ନୈବଦ୍ୟ, ଆରାଧନାରେ ଶୈବପୀଠ ଭକ୍ତମୟ ହୋଇଛି। ସକାଳ ସାଢେ ୧୦ଟାରେ ଚନ୍ଦନେଶ୍ୱର ମହାଦେବଙ୍କ ଟ୍ରଷ୍ଟବୋର୍ଡ ପକ୍ଷରୁ ଚଡ଼କ ମେଳାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇଛି।
ଟ୍ରଷ୍ଟ ବୋର୍ଡ ସଭାପତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସୂର୍ଯ୍ୟ କୁମାର ନାୟକ, ମହାଦେବଙ୍କ ମୌରସୀ ଶ୍ରେଷ୍ଠ ସେବାୟତ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା, ବିଡିଓ ପ୍ରଶାନ୍ତ କୁମାର ମହାରଣା, ଆଇଆଇସି ଚମ୍ପାବତୀ ସୋରେନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଟ୍ରଷ୍ଟବୋର୍ଡ ସଦସ୍ୟ ଗଣପତି ଗିରି, ଗ୍ରାମ୍ୟ ପାଇପ ଜଳଯୋଗାଣ ଜେଇ ହରପ୍ରିୟା ମହାନ୍ତ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା. କମଳାକାନ୍ତ ଜେନା, ଜୀଉଙ୍କ ଶ୍ରେଷ୍ଠଭକ୍ତ ହରିଶ ଚନ୍ଦ୍ର ସାହୁ, ବିଦ୍ୟୁତ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଟ୍ରାଫିକ ନିୟନ୍ତ୍ରଣ, ୨୪ଘଣ୍ଟିଆ ବିଶୁଦ୍ଧ ପାଣି ଓ ବିଦ୍ୟୁତ ସେବା, ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ନିମନ୍ତେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନଗୁଆଁ ଛକ, ବର୍ଡର୍-ଚନ୍ଦନେଶ୍ୱର ରାସ୍ତା ବାଡ଼ସରିସା ସ୍କୁଲ ପର୍ଯ୍ୟନ୍ତ ଚାରିଚକିଆ ଯାନ ଉପରେ କଟକଣା ଲାଗୁ କରାଯାଇଛି। ମେଳାର ସୁରକ୍ଷା ଦୃଷ୍ଟିରୁ ଅଗ୍ନିନିର୍ବାହୀ କର୍ମଚାରୀଙ୍କ ସହ ୨୬ ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ ବୋଲି ଏସ୍ଡିପିଓ ଦିଲୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୋମବାର ମହାଦେବଙ୍କ ୭ ଅର୍ଘ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଉପବୀତଧାରୀ ଶୈବଭକ୍ତ ଉପବୀତ ଧାରଣ କରି ବ୍ରତ ପାଳନ କରୁଥିବା ବେଳେ ୫ ଅର୍ଘ୍ୟ ବେଳକୁ ଲକ୍ଷାଧିକ ଉପବୀତଧାରୀ ଭକ୍ତ ଜୀଉଙ୍କଠାରେ ଅର୍ଘଦାନ କରିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜୀଉଙ୍କ ପ୍ରସିଦ୍ଧ କାମିନୀ ଠାକୁରାଣୀ ବିବାହ ନିମନ୍ତେ କନ୍ୟା ସ୍ବୀକୃତ ରୀତିନୀତି ଅନୁଯାୟୀ ସମ୍ପାଦନ କରାଯାଇ ରାତି ୮ଟାରେ ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି। ମହାଦେବଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କଠାରେ ଆଜ୍ଞାମାଳ ନେଇ ଶ୍ରେଷ୍ଠ ଭକ୍ତ ପାଟ ଭକ୍ତ ହରିଶ ଚନ୍ଦ୍ର ସାହୁ, ଦେଉଳିଆ ଅଜିତ ପାତ୍ରଙ୍କ ସମେତ ଶ୍ରୀବେକଡି, ବାଦ୍ୟକାରମାନେ କୌଳିକ ରୀତି ଓ ନୀତି ଅନୁଯାୟୀ ଶୈବ ଭକ୍ତଙ୍କ ବେକଡା ନୃତ୍ୟ ପରେ ମନ୍ଦିର ପରିକ୍ରମା କରି ଜୀଉଙ୍କ ଅର୍ଘ୍ୟ ପିଣ୍ଡରେ ଶୈବଭକ୍ତମାନେ ଅର୍ଘ୍ୟଦାନ କରିଛନ୍ତି।