ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ନବୀନ ଛକରେ ଏକ ଗାଡ଼ି ଶୋ-ରୁମ ଖୋଲିଥିବା ସୁନୀଲ ଅଗ୍ରଓ୍ବାଲାଙ୍କ ପୁଅ ତନୀସ ଅଗ୍ରଓ୍ବାଲ ଶୁକ୍ରବାର ଅପରାହ୍ନରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ। କିଛି ସମୟ ପରେ ସେ ରାସ୍ତାରୁ ନିଜ ଶୋ-ରୁମ ପଟକୁ ଯାଉଥିବାବେଳେ ତାଙ୍କୁ ଏକ ଚାରିଚକିଆ ଗାଡ଼ି ନଂ. ଓଡ଼ି-୧୭-ପି-୪୭୭୭ ବଲାଙ୍ଗୀର ପଟରୁ ଆସି ତାଙ୍କୁ ମଡ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ତନୀଶ ତଳେ ପଡ଼ିଯାଇଥିଲେ । ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିବା ସହ ଗାଡ଼ି ଚାଳକ ତୁରନ୍ତ ଗାଡ଼ିକୁ ପଛକୁ ଫେରାଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତନୀଶଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ତନୀଶ ସଇଁତଳା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥଲେ । ଅଭିଯୋଗକୁ ଭିତ୍ତି କରି ସଇଁତଳା ପୋଲିସ ଥାନା ଅଧିକାରୀ ଖଗପତି ବିଶାଳ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରୀ ରଖିଥବାବେଳେ ରବିବାର ପାଟଣାଗଡ଼ ସିଲେଟପଡ଼ା ଗ୍ରାମ ନିକଟସ୍ଥ ପିଚୁପ୍ଲାନରୁ କାର୍‌କୁ ଜବତ କରି ସଇଁତଳା ଥାନାକୁ ନିଆଯାଇଥିଲା । ଅନ୍ୟ ପକ୍ଷରେ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି। ଗାଡ଼ିଟି ନୂଆପଡା ଜିଲା ପାଇକମାଳର ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share
Tags: Bolangir