ଭବାନୀପାଟଣା,୧୬।୧(ଉତ୍ତମ କୁମାର ଦାଶ): ଶିକ୍ଷକଙ୍କୁ ହାଣିଲେ ପାଚିକାଙ୍କ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ପିପଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଋଷିରାଜ ମେହେରଙ୍କୁ ପିପଳପଡ଼ା ଗ୍ରାମର ଭାସ୍କର ବାଗ ନାମକ ଜଣେ ଯୁବକ ସ୍କୁଲ ମଧ୍ୟାହ୍ନ ଭୋଜନ ସମୟରେ ହଠାତ ଶ୍ରେଣୀରେ ପଶି ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ତେବେ ଏହି ଆକ୍ରମଣରେ ଶିକ୍ଷକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କର ହାତରେ ଆଘାତ ଲାଗିଛି । ଏହି ଘଟଣା ପରେ ସ୍କୁଲରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଛାତ୍ରୀଛାତ୍ର ମାନେ ଭୟଭୀତ ହୋଇ ପଡ଼ିଥିଲେ । ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ନାଏକ କୋକସରା ପୋଲିସକୁ ସୂଚନା ଦେବାପରେ ପୋଲିସ ଟିମ ସଦଲବଳେ ପହଞ୍ଚି ଆକ୍ରମଣ କରିଥିବା ଯୁବକ ଭାସ୍କର ବାଗକୁ କାବୁ କରିବା ସହ ତାଙ୍କ ଠାରୁ ଟାଙ୍ଗିଆ ଜବତ କରିବା ସହ ପୋଲିସ ତାଙ୍କୁ ଥାନାରେ ଆଣି ଅଟକ ରଛିି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆକ୍ରମଣ କରିଥିବା ଯୁବକ ଭାସ୍କର ବାଗର ସ୍ତ୍ରୀ ମାଧୁରୀ ବାଗ ପିପଳପଡ଼ା ବିଦ୍ୟାଳୟରେ ପାଚିକା ଭାବେ ନିୟୋଜିତ ରହିଛନ୍ତି । ତେବେ ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ନାଏକ ବିଇଓଙ୍କୁ ସୂଚନା ଦେବାସହ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖିବା ସହ କାହିଁକି ଆକ୍ରମଣ କରିଛନ୍ତି କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।