ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ବାଲେଶ୍ୱର ଅଫିସ, ୧୮।୪-ବାଲେଶ୍ୱର କଚେରୀ ପରିସର ବାର୍‌ ଅଫିସ ସମ୍ମୁଖରେ ଶୁକ୍ରବାର ଆଇନଜୀବୀମାନଙ୍କୁ କେତେକ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ଏବଂ ବନ୍ଧୁକ, ଭୁଜାଲି ଓ ବୋମା ଦେଖାଇ ଧମକ ଦେଇଥିଲେ। ଏନେଇ ଆଇନ୍‌ଜୀବୀ ଭବେନ୍ଦୁ ଶେଖର ଉପାଧ୍ୟାୟଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଥାନାରେ ମାମଲା (ନଂ. ୧୨୦/୨୧) ରୁଜୁ କରାଯାଇ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ମେଘଡ଼ମ୍ବରୁ ଅଞ୍ଚଳର ଜଜନ ପାଣିଗ୍ରାହୀ (୨୩), ସହଦେବଖୁଣ୍ଟା ଥାନା ରାଣୀପାଟଣା ଅଞ୍ଚଳର ହେମନ୍ତ ସିଂ (୩୦) ଓ କେଶପୁର ଅଞ୍ଚଳର ବାପି ମନ୍ତ୍ରୀ (୩୦)
କଚେରିରୁ ସବ୍‌ରେଜିଷ୍ଟ୍ରାର ଅଫିସ୍‌ ସମ୍ମୁଖ ରାସ୍ତାରେ ଆଇନଜୀବୀ ଉପାଧ୍ୟାୟ କୌଣସି କାମରେ ଆସୁଥିବା ବେଳେ ସ୍କୁଟିରେ ଜଜନ ଓ ବାପି ଦ୍ରୁତଗତିରେ ଯାଉଥିଲେ। ଏହାକୁ ଉପାଧ୍ୟାୟ ବିରୋଧ କରିବାରୁ ଉକ୍ତ ୨ ଯୁବକ ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଆଇନ୍‌ଜୀବୀମାନେ ବାପିଙ୍କୁ ବାର୍‌ ଅଫିସ୍‌ରେ ଅଟକ ରଖିଥିବା ବେଳେ ଜଜନ ପଳାଇ ଯାଇଥିଲେ। କିଛି ସମୟ ପରେ ଜଜନ ନିଜର ୭/୮ଜଣ ସହଯୋଗୀଙ୍କୁ ନେଇ କଚେରିରେ ପହଞ୍ଚତ୍ ବାର୍‌ ଅଫିସ୍‌ ୧ନମ୍ବର ହଲ୍‌ ସମ୍ମୁଖରେ ବନ୍ଧୁକ ଓ ବୋମା ଦେଖାଇ ଗଣ୍ଡଗୋଳ କରିଥିଲେ। ଆଇନ୍‌ଜୀବୀ ଉପାଧ୍ୟାୟଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ସେହିପରି ଅଟକ ଥିବା ବାପିଙ୍କୁ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ସେହି ସମୟରେ ବହୁ ଆଇନ୍‌ଜୀବୀ ପହଞ୍ଚିଯିବା ଏବଂ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚତ୍ ଯିବାରୁ ସମସ୍ତ ଦୁର୍ବୃତ୍ତ ପଳାଇଯାଇଥିଲେ। ପୁଣି ହେମନ୍ତଙ୍କୁ ଆଇନ୍‌ଜୀବୀମାନେ ଅଟକାଇଥିଲେ। ପରେ ଉକ୍ତ ୨ଯୁବକଙ୍କୁ ପୋଲିସ୍‌ ଜିମା ଦେଇଥିଲେ। ଏନେଇ ଆଇନଜୀବୀମାନେ ଥାନାରେ ଦ୍ୱାରସ୍ଥ ହେବା ସହ ଜିଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ପୋଲିସ୍‌ ଏହାକୁ ଗୁରୁତର ଭାବେ ନେଇ ଗତ ରାତିରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଜଜନଙ୍କୁ ଗିରଫ କରିଛି। ଶନିବାର ଉକ୍ତ ୩ଯୁବକଙ୍କୁ କୋର୍ଟଚାଲାଣ କରାଯାଇଥିବା ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ ପ୍ରକାଶ କରିଛନ୍ତି।