ଭୁବନେଶ୍ୱର,୩୦।୬: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ଆକ୍ରମଣ ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାର ଭିଡିଓ ଦେଖି ସେ ମର୍ମାହତ ହୋଇଥିବା କହିଛନ୍ତି।
ନବୀନ କହିଛନ୍ତି, “ଅତିରିକ୍ତ ସଚିବ ସ୍ତରର ଜଣେ ବରିଷ୍ଠ ଅଧିକାରୀ ରତ୍ନାକର ସାହୁଙ୍କୁ ତାଙ୍କ ଅଫିସରୁ ଟାଣି ବାହାର କରାଯାଇ ଜଣେ ଭାଜପା କର୍ପୋରେଟରଙ୍କ ଉପସ୍ଥିତିରେ ନିର୍ମମ ଆକ୍ରମଣ କରାଯାଇଛି, ଯିଏ ଜଣେ ପରାଜିତ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସହ ଜଡ଼ିତ ବୋଲି ଅଭିଯୋଗ ରହିଛି। ଏହା ଦିବାଲୋକରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅତ୍ୟନ୍ତ ନିନ୍ଦନୀୟ।”
ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପରାଧୀ ଏବଂ ଏହି ଆକ୍ରମଣର ରାଜନୈତିକ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନବୀନ କହିଛନ୍ତି, “ଅଧିକାରୀଙ୍କ ଏଫଆଇଆର’ରେ ନାମିତ ବ୍ୟକ୍ତିମାନେ ଅପରାଧୀ ପରି ଆଚରଣ କରିଛନ୍ତି। ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି, ତେବେ ସାଧାରଣ ନାଗରିକମାନେ ସରକାରଙ୍କଠାରୁ କେଉଁ ଆଇନଶୃଙ୍ଖଳା ଆଶା କରିବେ?”
ସେ ଆହୁରି କହିଛନ୍ତି, “ମୁଖ୍ୟମନ୍ତ୍ରୀ ମାଝୀ ସରକାରଙ୍କ ଉପରେ ଜନତାଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବେ ବୋଲି ମୁଁ ଆଶା କରୁଛି। ପୂର୍ବତନ ରାଜ୍ୟପାଲଙ୍କ ପୁତ୍ରଙ୍କ ଦ୍ୱାରା ଅଧିକାରୀଙ୍କୁ ଆକ୍ରମଣ ଘଟଣା ପରି ଏହା ଦଣ୍ଡବିହୀନ ହେବା ଉଚିତ ନୁହେଁ। ଓଡ଼ିଶାର ଜନତା ଏହାକୁ କ୍ଷମା କରିବେ ନାହିଁ।”