ନୂଆପଡ଼ା,୧୭ା୧୦(ମକାରୁ ବେମାଲ): ବେଆଇନ ଦାଦନ ଶ୍ରମିକ ଚାଲାଣ ଓ ନିର୍ଯାତନା ଅଭିଯୋଗରେ ପୋଲିସ ନୂଆପଡା ସମେତ ଛତିଶଗଡ଼ ରାଜ୍ୟର ମୋଟ ୫ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୂଆପଡା ସଦର ବ୍ଲକ ବେଲଟୁକୁରି ଗାଁର ନୀଳ କମଳ ଚନ୍ଦ୍ରକାର(୩୮), ମୁଳଚନ ଶବର (୩୫), ପଣ୍ଡରିପାଣି ଗାଁର ସନୋଜ ଲୋହାର(୩୪), ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା କେନ୍ଦୁକୋନା ଗଁାର ସନ୍ତୋଷ ଅଗ୍ରୱାଲ (୪୨) ଓ ବସନା ଗାଁର ଅନୁପ ଅଗ୍ରୱାଲ(୪୭)। ନୂଆପଡା ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ଖିଲେଶ୍ୱର ସାହୁ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ବେଲଟୁକୁରି ଥାନା ଅଞ୍ଚଳରେ କେତେଜଣ ଦାଦନ ଶ୍ରମିକଙ୍କୁ ଦଲାଲ ଅଗ୍ରିମ ଟଙ୍କା ଦେଇ ଉତ୍ତରପ୍ରଦେଶର ଏକ ଇଟାଭାଟିକୁ ଇଟା ତିଆରି କରିବା ପାଇଁ ନେଇଥିଲେ। ସେଠାରେ କାମ କରିବା ଭିତରେ ଶ୍ରମିକମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଦଲାଲ ଓ ଇଟାଭାଟି ମାଲିକଙ୍କ ନିର୍ଯାତନା ସହ୍ୟକରି ନ ପାରି ଶ୍ରମିକମାନେ ଘରକୁ ଚାଲିଆସିଥିଲେ।
ହେଲେ ଇଟା ତିଆରି ପାଇଁ ଚାଲ ନ ହେଲେ ଟଙ୍କା ଫେରସ୍ତ କର ବୋଲି ସେମାନଙ୍କୁ ଧମକ ଦିଆଯାଉଥିଲା। ସେହିପରି ୨୦୨୪ ସେପ୍ଟେମ୍ବର ମାସରେ ବେଲଟୁକୁରି ଥାନା ଅଞ୍ଚଳର ୨ ଭାଇଙ୍କୁ ବଳପୂର୍ବକ ଉଠାଇ ନେଇ ମରଣାତ୍ମକ ଆକ୍ରମଣ କରି ଟଙ୍କା ଫେରସ୍ତ ପାଇଁ ଧମକ ଦିଆଯାଇଥିଲା । ସେମାନେ ଭୟରେ ଘର ଛାଡି ରାଜ୍ୟ ବାହାରେ ରହୁଛନ୍ତି। ପରିବାର ଉପରେ ସର୍ଦ୍ଦାରମାନେ ଚାପ ପକାଉଥିବା ନେଇ ବେଲଟୁକୁରି ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ ପୋଲିସ ୫ ଜଣ ଦଲାଲଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଦାଦନ ସର୍ଦ୍ଦାରଙ୍କୁ ବହୁ ଶୀଘ୍ର ଗିରଫ କରାଯାଇ ନିର୍ଯାତିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସ୍ଡିପିଓ ସାହୁ କହିଛନ୍ତି। ଏହି ସମୟରେ ବେଳଟୁକୁରି ଥାନା ଅଧିକାରୀ ରଞ୍ଜନ କୁମାର ନାଏକ, ତରବୋଡ ଫାଣ୍ଡି ଅଧିକାରୀ ବିନୋଦ ବିହାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

