ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ତାଡି ନେଇଯାଇଥିବା ଜଣାପଡିଛି  । ଏହି ଘଟଣା ଶୁକ୍ରବାର ସକାଳୁ ଜଣାପଡିଲା ପର ଖବର ପାଇ ବିଞ୍ଝାରପୁର ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଘଟଣାସ୍ଥଳରେ ପହିଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ମେସିନ ତାଡି ଟଙ୍କା ନେଇଯାଉଥିବା ଦେଖାଯାଉଥିବା ବେଳେ ବର୍ତ୍ତମାନ ଟଙ୍କା ସହ ମେସିନ ନେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଦେଖିବାକୁ ମିଳିଛି । ତେବେ ଏଟିଏମରେ କେତେ ଟଙ୍କା ଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଏଟିଏମ ପାଖରେ ଏକ ଅଟୋ ମଧ୍ୟ ଚୋରି ହୋଇଥିବା ଚର୍ଚ୍ଚା ହେଉଛି । ଏଟିଏମ ମେସିନ ସେଥିରେ ଚୋରି କରି ନେଇଥିବା କଥା କୁହାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସତ୍ୟ ସାମ୍ନାକୁ ଆସିପାରିବ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ତେବେ ଲୁଟେରାଙ୍କୁ ଗିରଫ କରିବାରେ ପୋଲିସ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

 

Dharitri – Odisha’s No.1 Odia Daily

Share