ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କର ଏଟିଏମ୍ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ଆଦି ପଞ୍ଚାୟତ ଅଞ୍ଚଳର ହଜାର ହଜାର ଉପଭୋକ୍ତା ହଇରାଣ ଭୋଗୁଛନ୍ତି।
ସେହିପରି ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ, ୫୯ ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଉକ୍ତ ଏଟିଏମ୍କୁ ଟଙ୍କା ଉଠାଣ କରିବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ସିମନବାଡ଼ି ପଞ୍ଚାୟତରେ କୌଣସି ବିକଳ୍ପ ନ ଥିବା ବେଳେ ଏକମାତ୍ର ଏଟିଏମ୍ ଉପରେ ନିର୍ଭର କରୁଥିବା ଉପଭୋକ୍ତା ଏବେ ଏଭଳି ସେବା ନ ପାଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏନେଇ ସିମନବାଡ଼ି ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ଦୀପକ କୁମାର ସାହୁ ଉକ୍ତ ଏଟିଏମ୍ର ଆଂଶିକ ଦାୟିତ୍ୱରେ କାର୍ଯ୍ୟ କରୁଥିବା ବେଳେ ଟଙ୍କା ସହ ଯୋଗାଯୋଗ କରିବାରୁ ସେ ଏନେଇ ଗତ ୩ ଦିନ ହେଲା ଟେକ୍ନିସିଆନଙ୍କୁ ସୂଚନା ଦେଲେ ମଧ୍ୟ କେହି ମରାମତି କରିବାକୁ ଆସୁ ନ ଥିବା ସେ କହିଛନ୍ତି। ସେପଟେ ଲୋକଙ୍କ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।