ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ହାତାହାତି ଭଳି ପରିସ୍ଥିତି ଉପୁଜିଛି । ପ୍ରଥମେ ଯୁକ୍ତିତର୍କ ଏବଂ ପରେ ହାତାହାତି ଯାଏ କଥା ଯାଇଥିଲା ।

ଏକ ବସ ରାସ୍ତାରେ ରହିଥିବାରୁ ଅସମ୍ଭାଳ ଭିଡ ଲାଗି ରହିଥିଲା । ଜାମରେ ଫସି ରହିଥିଲେ ଅନେକ ଲୋକେ । ପ୍ରାୟ ୩ ଘଣ୍ଟା ଧରି ଶହ ଶହ ଲୋକେ ଜାମରେ ଫସିରହିଥିଲେ । ସୂଚନା ମୁତାବକ ରାସ୍ତା କଡ଼ ଏକ ଫଳ ଦୋକାନ ଆଗରେ ଏକ ବାଇକ ପାର୍କିଂ ହୋଇଥିଲା । ରୋଜାଲିନ ନାମକ ବସର ଚାଳକ ବାଇକ ଦୋକାନ ସାମ୍ନାରେ ରହିଥିବାରୁ ଫଳ ଦୋକାନୀ ଯୁକ୍ତିତର୍କ କରିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କରୁ ହାତାହାତି ହୋଇଥିଲା । ଉଭୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ଚାଳକ ମେଡିକାଲ ଯାଇଥିବା ବେଳେ ବସଟି ରାସ୍ତାରେ ଠିଆ ହୋଇଛି । ଫଳରେ ରାସ୍ତା ଜାମ୍ ହୋଇଥିଲା । ପୋଲିସ ପହଂଚି ଭିଡ ହଟାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily