ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଧାନ ବିକ୍ରି ପଞ୍ଜୀକରଣରେ ଚାଷୀଙ୍କ ପ୍ରତି କରାଯାଇଥିବା ଅବହେଳାକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡିଥିବା ଚାଷୀଙ୍କୁ ପଞ୍ଜୀକୃତ କରିବା ଦାବି ନେଇ ଗତ ୧୦ତାରିଖରୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ବରେ ଧାରଣା ଚାଲିଥିଲା । ତେବେ ଗୁରୁବାର ସନ୍ଧ୍ୟାରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଧାରଣାସ୍ଥଳକୁ ପହଞ୍ଚି ଥିଲେ ଏବଂ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଥିବା ଅର୍ଥାତ୍ ପଞ୍ଜୀକରଣରୁ ବାଦ୍ ପଡିଥିବା ଚାଷୀଙ୍କ ତାଲିକା ଦେଖାଇଥିଲେ। ଆସନ୍ତା ୨୮ତାରିଖ ସୁଦ୍ଧା ସମ୍ପୃକ୍ତ ଚାଷୀମାନଙ୍କ ପଞ୍ଜୀକରଣ ହୋଇଯିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇସାରିଛି ବୋଲି ସେ ଚାଷୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଧାରଣା ସ୍ଥଗିତ ରଖିବା ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଥିଲେ ।
ପ୍ରକାଶ ଥାଉକି, ଧାନ ବିକ୍ରୀ ପଞ୍ଜୀକରଣ ଦାବିରେ ଚାଷୀମାନେ ନିଜର ହକ୍ ଦାବିରେ ଶୀତ, କାକର ସହି ଅହୋରାତ୍ର ଧାରଣାରେ ବସିଥିଲେ । ଧାରଣାକୁ ବରଗଡ଼ ନାଗରିକ ମଞ୍ଚ, ବିଜେଡି, କଂଗ୍ରେସ ସମେତ ବିଭିନ୍ନ ସଂଗଠନର ସମର୍ଥନ କରିଥିଲେ । ଏପରିକି ଚାଷୀମାନେ ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କରିଥିଲେ। ତେବେ ଗୁରୁବାର ଧାରଣା ୧୧ଦିନରେ ପହଞ୍ଚି ଥିବାବେଳେ ଅତାବିରା ବିଧାୟକ ମହାନନ୍ଦ ନିର୍ଭର ପ୍ରତିଶ୍ରୁତି ଦେବା ପରେ ପଞ୍ଜୀକରଣ ନେଇ ଦେଖାଯାଇଥିବା ଅସନ୍ତୋଷ ସାମୟିକ ଥମିଛି।