Categories: Uncategorized

ହାତ ଦେଖି ଅର୍ଥ ମାଗିବାରୁ ଜ୍ୟୋତିଷଙ୍କୁ ପିଟି ହତ୍ୟା

ଗୁରୁଣ୍ଡିଆ,୨୬।୭(ଦିଲୀପ ଭାରତୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଟାମ୍ପରକଳା ମୁଣ୍ଡା ବସ୍ତିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ହାତ ଦେଖି ଅର୍ଥ ମାଗିବାରୁ ଜଣେ ଜ୍ୟୋତିଷଙ୍କୁ କାଠ ଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଛତିଶଗଡ଼ ରାଜ୍ୟ ହାତେବା ଥାନା ଅନ୍ତର୍ଗତ ଲଖନପୁର ଗାଁର ଖୁସିରାମ ଯୋଶୀ (୨୨)। ଶନିବାର ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗୁରୁଣ୍ଡିଆ ପୋଲିସ ଉକ୍ତ ବସ୍ତିରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା (ନଂ. ୫୨/୨୬) ରୁଜୁ କରି ତଦନ୍ତ କରୁଛି। ହତ୍ୟା କାଣ୍ଡରେ ବ୍ୟବହୃତ କାଠଫାଳିଆ ଓ ମୃତକଙ୍କ ବାଇକ୍‌ ପୋଲିସ ଜବତ କରିଛି।
ସୂଚନା ଅନୁଯାୟୀ, ଛତିଶଗଡ଼ ଅଞ୍ଚଳର ଏକ ଦଳ ସାଥିରେ ଷଣ୍ଢ ନେଇ ଗାଁକୁ ଗାଁ ବୁଲି ଲୋକଙ୍କ ଭବିଷ୍ୟବାଣୀ କରି ଅର୍ଥ ଉପାର୍ଜନ କରିବାକୁ ଆସିଛନ୍ତି। ସେମାନେ ସମ୍ବଲପୁର ଜିଲା କୁସ୍ମିଠାରେ କ୍ୟାମ୍ପ କରି ରହୁନ୍ତି। ଶୁକ୍ରବାର ସକାଳେ ତାଙ୍କ ମଧ୍ୟରୁ ଯୁବ ଜ୍ୟୋତିଷ ଖୁସିରାମ ବଣାଇଁ ଉପଖଣ୍ଡର ଟାମ୍ପରକଳା ଗ୍ରାମକୁ ଏକ ବାଇକ୍‌ରେ ଆସିଥିଲେ। ସେ ଭବିଷ୍ୟତ କଥା କହିପାରନ୍ତି ବୋଲି ଲୋକଙ୍କ ବିଶ୍ୱାସ ଜନ୍ମାଇଥିଲେ। ଗ୍ରାମର ମୁଣ୍ଡା ବସ୍ତିରେ ରହୁଥିବା ଲଳିତ ମୋହନ ମୁଣ୍ଡାରୀ ତାଙ୍କ ଘରକୁ ବିଶ୍ୱାସର ସହିତ ଡାକିନେଇ ହାତ ଦେଖାଇଥିଲେ। ହାତ ଦେଖି ଖୁସିରାମ ଅନେକ ସମସ୍ୟା ରହିଥିବା କହି ଅର୍ଥ ଦାବି କରିଥିଲେ। ହେଲେ ହଁ – ନାହିଁ ମଧ୍ୟରେ କଥା ଉତ୍ତେଜନାର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲଲିତ ଏକ କାଠଫାଳିଆରେ ପିଟି ଖୁସିରାମଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ମୃତଦେହ ଜବତ କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟର ଶବ ଗୃହରେ ରଖି କୁସ୍ମିଠାରେ ଥିବା ମୃତକଙ୍କ ସାଥୀଙ୍କୁ ଖବର ଦେଇଥିବା ଜଣାପଡିଛି। ଫେରାର ହତ୍ୟାକାରୀଙ୍କୁ ଖୋଜିବାରେ ପୋଲିସ ତଦନ୍ତ ଜାରି ରଖିଛି।