ଭୁବନେଶ୍ୱର,୩୦ା୧: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକ ଶଙ୍କର୍ଷଣ ନାଗଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଲାଙ୍ଗୀର ଜିଲାର। ବିଦ୍ୟୁତ ଆଘାତରେ ସହାୟକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ତେବେ କ୍ୟାପିଟାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
କ୍ୟାପିଟାଲ୍ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଶଙ୍କର୍ଷଣ ତାଙ୍କ ପରିବାର ସହ ମନ୍ତ୍ରୀଙ୍କ କ୍ୱାର୍ଟର୍ସରେ ରହୁଥିଲେ। ବୁଧବାର ସକାଳେ କ୍ୱାର୍ଟର୍ସର ଫ୍ୟାନ୍ ସୁଇଚ୍ ମାରିବା ସମୟରେ ଶଙ୍କର୍ଷଣଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଫଳରେ ସେ ଅଚେତ୍ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଥିବାବେଳେ ଡାକ୍ତର ଶଙ୍କର୍ଷଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ତେବେ ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ହୋଇଛି କି ନାହିଁ ସେନେଇ ପୋଲିସ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ଶଙ୍କର୍ଷଣଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନାହିଁ।
କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଇନ୍ଚାର୍ଜ ଡାକ୍ତର ସୁଶାନ୍ତ କୁମାର ନାୟକ କହିଛନ୍ତି ଯେ, ସେ ବାଟରେ ମରିଛନ୍ତି କି ଘରେ ମରିଛନ୍ତି, ସେ ବିଷୟରେ କହିିହେବନି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ। ଶବ ବ୍ୟବଛେଦ ରିପୋର୍ଟ ଆମେ ସାର୍ବଜନୀନ କରିପାରିବୁ ନାହିଁ। ଆମ ପୋଲିସକୁ ଦେବୁ ପୋଲିସ ତାର ତଦନ୍ତ କରିବ ବୋଲି ସେ କହିଛନ୍ତି।
ସୂଚନାଥାଉ କି, ପୂର୍ବରୁ ବିଜେଡ଼ି ମନ୍ତ୍ରୀ ଥିବା ନବ ଦାଶଙ୍କ କ୍ୱାର୍ଟର୍ସରୁ ତାଙ୍କ ଘରୋଇ ସହାୟକଙ୍କ ମୃତଦେହ ମିଳିଥିଲା। ସେହିପରି ଏକାଧିକ ବିଧାୟଙ୍କ ଘରୁ ସହାୟକଙ୍କ ମୃତଦେହ ମିଳିଛି। ଏହି ଘଟଣା ମଧ୍ୟ ରହସ୍ୟ ହୋଇ ରହିଛି।