ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ସନ୍ଧ୍ୟାରେ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଚଳାଇଛି।
ଯାଜପୁର ବଡ଼ବଜାର ଅଞ୍ଚଳର ରସାନନ୍ଦ ସାହୁ ଓ ସାନଭାଇ ଦୋଳଗୋବିନ୍ଦ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ୨୦୧୫ରେ ବିବାଦ ଦେଖାଦେଇଥିଲା। ଏହି ବିବାଦ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟରେ ୧୦ ବର୍ଷ ଧରି ମାମଲା ଚାଲିଥିବାବେଳେ ସାନଭାଇ ଦୋଳଗୋବିନ୍ଦଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଥିଲା। ଏନେଇ ଦୋଳ ଗୋବିନ୍ଦ ସୀମା ନିର୍ଦ୍ଧାରଣ ପାଇଁ ଉପଜିଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ବଡ଼ଭାଇ ରସାନନ୍ଦ ପୁଣି ଉଚ୍ଚ ନ୍ୟାୟାଳୟରେ ପୁନଃ ବିଚାର ନିମନ୍ତେ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ଯାଜପୁର ତହସିଲଦାରଙ୍କୁ ସୀମା ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ସୀମା ନିର୍ଦ୍ଧାରଣ କରିବା ସମୟରେ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ସୀମା ନିର୍ଦ୍ଧାରଣ ସ୍ଥଗିତ ରହିଥିଲା। ଏନେଇ ଯାଜପୁର ଟାଉନ ଥାନାରେ ନଂ.୫୨୩/୨୫ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଦାୟିତ୍ୱ ଏଏସ୍‌ଆଇ ଦାସ ନେଇଥିଲେ। ସେ ଦୋଳଗୋବିନ୍ଦଙ୍କୁ ମାମଲାରେ ସାହାଯ୍ୟ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୋଳଗୋବିନ୍ଦ ୧୦ ହଜାର ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତ ଅନୁଯାୟୀ ସନ୍ଧ୍ୟାରେ ଦୋଳ ଗୋବିନ୍ଦ ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ବିଭାଗ ଏଏସ୍‌ଆଇ ଦାସଙ୍କୁ ଟଙ୍କା ସହ ମାଡ଼ି ବସିଥିଲା। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ସୁଶୀଲ ଏକ୍କା, ଡିଏସ୍‌ପି ସୁଲୋଚନା ନାୟକ, ଇନ୍ସପେକ୍ଟର ବିଜୟ ସେଠୀ, ଇନ୍ସପେକ୍ଟର ଜ୍ୟୋତିଶଙ୍କର ସାହୁ, ଇନ୍ସପେକ୍ଟର ସଂଘମିତ୍ରା ଦାସ, ଇନ୍ସପେକ୍ଟର ସରୋଜ ସେଠୀ, ଏଏସ୍‌ଆଇ ଶ୍ରୀକାନ୍ତ ନାୟକ, ଏଏସ୍‌ଆଇ ଶୁଭାଶିଷ ବେହେରା ଓ ବିଶ୍ୱଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି ଚଢ଼ାଉରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁରର ଭିଜିଲାନ୍ସ ଉପସ୍ଥିତ ଥିଲେ। ଏକା ସଙ୍ଗେ ତିନୋଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ନଂ.୩୪/୨୫ରେ ମାମଲା ରୁଜୁ ହୋଇଛି।

Dharitri – The Largest & Most Trusted Odia Daily

Share