ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁକୁ ନେଇ କୋରାପୁଟ ଜିଲାରେ ଶୋକାକୁଳ ପରିବେଶ ସହ ତୀବ୍ର ଉତ୍ତେଜନା ଦେଖାଦେଇଛି। ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରେଙ୍ଗା ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ସୁହାନ ଖରାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି।

ସୁହାନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକଙ୍କ ବୟାନରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଛି। ଶିକ୍ଷକ ଓ ପିଅନଙ୍କ କହିବା ଅନୁସାରେ, ପରୀକ୍ଷା ପରେ ସୁହାନ ଓ ତାଙ୍କର ତିନି ସାଙ୍ଗ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସୁହାନ ଅଚେତ ହେବାରୁ ସାଙ୍ଗମାନେ ତାଙ୍କୁ ସ୍କୁଲକୁ ଆଣିଥିଲେ। ହେଲେ ପ୍ରଧାନ ଶିକ୍ଷକ ଅଖିଳ କୁମାର ଦାସଙ୍କ କହିବାନୁସାରେ, ଛାତ୍ର ଜଣକ ବାଥରୁମ୍‌ରେ ପଡ଼ି ଅଚେତ ହୋଇଥିଲେ।

ଅପରପକ୍ଷେ ଡାକ୍ତରୀ ରିପୋର୍ଟ ଅନୁଯାୟୀ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପୂର୍ବରୁ ହିଁ ସୁହାନଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ତଥ୍ୟର ଏହି ବିଭ୍ରାଟ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମୃତ ଛାତ୍ରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ସମ୍ପର୍କୀୟଙ୍କ ପ୍ରଶ୍ନବାଣରେ ପ୍ରଧାନ ଶିକ୍ଷକ ଦାସ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ପଟ୍ଟାଙ୍ଗି ପୋଲିସର ଏସ.ଆଇ. ହିମାଂଶୁ ବେନିଆ ଓ ଏ.ଏସ.ଆଇ. ମାଧବ ତାଡିଙ୍ଗି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ବିଦ୍ୟାଳୟର ଶିକ୍ଷକ, ପିଅନ ଓ ସୁହାନଙ୍କ ସହ ଥିବା ତିନି ଜଣ ସାଙ୍ଗଙ୍କୁ ପଚରାଉଚରା କରିଛି। ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡ କହିଛନ୍ତି ଯେ, ଘଟଣାର ଉଭୟ ପୋଲିସ ଓ ବିଭାଗୀୟ ତଦନ୍ତ ଜାରି ରହିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ।

ମୃତ ସୁହାନଙ୍କ ମାଆ କୁନି ଖରା ନିଜର କୋହ ସମ୍ଭାଳି ନପାରି କହିଛନ୍ତି ଯେ, ସୁହାନ ଫୋନରେ ତାଙ୍କୁ ପରୀକ୍ଷା ସରିଲେ ଘରକୁ ନେବା ପାଇଁ ଆସିବୁ ବୋଲି କହିଥିଲେ। ପୂର୍ବରୁ ବାପାଙ୍କୁ ହରାଇଥିବା ସୁହାନଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ମାଆ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି। ବୁଧବାର ମୃତଦେହ ବ୍ୟବଚ୍ଛେଦ ହେବାକୁ ଥିବା ବେଳେ ଏହା ଏକ ଦୁର୍ଘଟଣା ନା ଅବହେଳା, ତାହାକୁ ନେଇ ପୁରା ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।

ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମୃତ ଛାତ୍ରଙ୍କ ମୃତଦେହକୁ କୁନ୍ଦୁଲୀ ସ୍ବାସ୍ଥ୍ୟକେନ୍ଦ୍ରରୁ ନେଇ କୋରାପୁଟ ମେଡିକାଲ କଲେଜରେ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ଲାଗି ପଦକ୍ଷେପ ଗ୍ରହଣ କରିଛି।

Dharitri – Odisha’s No.1 Odia Daily

Share