ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରି ଆଶାକର୍ମୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା, ସରକାରୀ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଆଶା କର୍ମଚାରୀମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ସମସ୍ତ ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଇଏସ୍ଆଇ ଓ ଇପିଏଫ୍ଓ ଅନ୍ତର୍ଗତ ପଞ୍ଜୀକୃତ କରାଯିବା, ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ କରାଯିବା ଓ ପ୍ରତି ପିଏଚସି ଓ ସିଏଚ୍ସିରେ ଆଶା ଗୃହ ନିର୍ମାଣ କରାଯିବା, ଯୋଗ୍ୟତା ଭିତ୍ତିରେ ଆଶାକର୍ମୀମାନଙ୍କୁ ତାଲିମ ଦେଇ ଏଏନ୍ଏମ୍ ପଦବୀକୁ ପଦୋନ୍ନତି କରାଯିବା, ଆଶାକର୍ମୀମାନଙ୍କୁ ପ୍ରତିବର୍ଷ ଦୁଇହଳ ୟୁନିଫର୍ମ ସହିତ ରିପୋର୍ଟ ଲେଖନ ପାଇଁ ଆବଶ୍ୟକ ରେଜିଷ୍ଟର ପ୍ରଦାନ କରାଯିବା, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା, ଅବସର ସମୟରେ ଆଶା କର୍ମୀମାନଙ୍କୁ ଏକ କାଳୀନ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ଭତ୍ତା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବା ଓ କାର୍ଯ୍ୟ ସୁବିଧା ପାଇଁ ସମସ୍ତ ଆଶାକର୍ମୀମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଫାଇବ ଜି ମୋବାଇଲ ବା ଟାବଲେଟ ପ୍ରଦାନ କରାଯିବା ପାଇଁ ସେମାନେ ଦାବି କରିଛନ୍ତି। ବହୁ ଆଶାକର୍ମୀ ସ୍ଥାନୀୟ ନୂଆ ବସ୍ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଆଶା କର୍ମୀ ସାମିଲ ଥିଲେ।