ଆକର୍ଷଣୀୟ ଯେମିତି ଆରାମଦାୟକ ସେମିତି

ଝୁଲାରେ ବସି ଟିକେ ଝୁଲିଗଲେ ଶରୀରକୁ ବେଶ୍‌ ଆରାମ ଲାଗିଥାଏ। ପୂର୍ବେ ଏହାକୁ କେବଳ ବାଲକୋନିରେ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଟ୍ରେଣ୍ଡ ବଦଳିଲାଣି, ଯଦ୍ଦ୍ବାରା ଲୋକେ ଏହାକୁ ଘର
ଭିତରେ ବି ଟାଙ୍ଗିଲେଣି…
ଝୁଲା: ଯାହା ଉପରେ ଟିକେ ବସି ଝୁଲିଗଲେ ଶରୀରକୁ ବେଶ୍‌ ରିଲାକ୍ସ ଫିଲ୍‌ ହୁଏ। ଖାସ୍‌କରି ସନ୍ଧ୍ୟା ସମୟରେ ଚା’ ପିଇଲାବେଳେ ହେଉ ଅବା ନିରୋଳାରେ ବହି କିମ୍ବା ମାଗାଜିନ୍‌ ପଢିଲାବେଳେ କିମ୍ବା ସାଙ୍ଗସାଥୀଙ୍କ ସହ ଫୋନ୍‌ରେ ଗପିବାବେଳେ, ଏହି ଝୁଲା ହିଁ ବସିବାର ବେଷ୍ଟ ମାଧ୍ୟମ ହୋଇଥାଏ। ତେବେ ପୂର୍ବେ ଏହାକୁ କେବଳ ବାଲକୋନିରେ ହିଁ ଟଙ୍ଗା ଯାଉଥିବାର ଦେଖିବାକୁ ମିଳୁଥିଲା, କିନ୍ତୁ ଏବେ ଅନେକେ ଘରର ବିଭିନ୍ନ ସ୍ଥାନରେ ଝୁଲା ଟଙ୍ଗାଇବାକୁ ପସନ୍ଦ କଲେଣି; ଯଦ୍ଦ୍ବାରା ଘରର ଶୋଭା ତ ବଢୁଛି ତା’ସାଙ୍ଗକୁ ଲୋକଙ୍କୁ ଆରାମ ବି ମିଳିପାରୁଛି…
ସୋଫା କମ୍‌ ବେଡ୍‌ ଝୁଲା: ଏହାକୁ ଲିଭିଂ ରୁମ୍‌ରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ଯେଉଁଠି ବି ଚାହିଁବେ, ସେଠାରେ ଟଙ୍ଗାଇ ପାରିବେ। ତେବେ ଏହା ଟିକେ ଚଉଡା ଡିଜାଇନ୍‌ର ଝୁଲା ହୋଇଥିବାରୁ, ଏଥିପାଇଁ ଟିକେ ସ୍ପେଶ୍‌ ଦରକାର ହୋଇଥାଏ। କିନ୍ତୁ ଏହି ଚଉଡା ଡିଜାଇନ୍‌ ଯୋଗୁ ହିଁ ଏହା ଉପରେ ଦୁଇରୁ ତିନି ଜଣ ଲୋକ ଆରାମରେ ବସିପାରିବେ। ଏପରିକି ଯଦି ଚାହିଁବେ ଏହା ଉପରେ ଶୋଇକି ବି କେହି ବହି ପଢ଼ିପାରିବେ।
ଲିଭିଂ ରୁମ୍‌ ଝୁଲା: ଖାସ୍‌ କରି ଲିଭିଂ ରୁମ୍‌ ପାଇଁ ଏବେ ଏକ ସ୍ବତନ୍ତ୍ର ଧରଣର ଝୁଲା ଆସିଲାଣି। ଯେଉଁଥିରେ ଦୁଇପଟ ସାଇଡ୍‌ରେ ଦୁଇଟି ଛୋଟ ଛୋଟ ସୋଫା ପଡିବ ଆଉ ମଝି ସ୍ପେଶ୍‌ରେ ଏକ ଝୁଲା ଡିଜାଇନ୍‌ର ସୋଫା ରହିବ।
ଲିଭିଂ ରୁମ୍‌ ଉଡେନ୍‌ ଝୁଲା: ଆଜିକାଲି ଖୁବ୍‌ ସୁନ୍ଦର ସୁନ୍ଦର ଡିଜାଇନ୍‌ର କାଠ ଝୁଲା ବି ମିଳିଲାଣି। ସେଥିରେ ଗଦି ମଧ୍ୟ ଫିଟିଂ ହୋଇ ଆସୁଛି। ଆପଣ ଚାହିଁଲେ ବଡ଼ ସାଇଜ୍‌ର ଏହି ଗୋଟିଏ ଝୁଲାକୁ ବି ଲିଭିଂ ରୁମ୍‌ରେ ପକାଇ ଏହାର ଆକର୍ଷଣକୁ ବୃଦ୍ଧି କରିପାରିବେ।
ହ୍ୟାଙ୍ଗିଂ ଚେୟାର୍‌ ଇଣ୍ଡୋର୍‌: ଚେୟାର୍‌ ଡିଜାଇନ୍‌ର ଝୁଲାକୁ ଆପଣ ଚାହିଁଲେ ଲିଭିଂ ରୁମ୍‌ରେ, ବେଡ୍‌ ରୁମ୍‌ରେ କିମ୍ବା ବାଲ୍‌କୋନିରେ ବି ପକାଇପାରିବେ। ଏହି ଝୁଲା ପାଇଁ ବେଶି ସ୍ପେଶ୍‌ ମଧ୍ୟ ଆବଶ୍ୟକ ହୋଇ ନଥାଏ। ଖାସ୍‌ କରି ଉଡେନ୍‌ର ଚେୟାର୍‌ ଡିଜାଇନ୍‌ ବାଲା ଝୁଲା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।
ଝୋଟ ଝୁଲା: ଲିଭିଂ ରୁମ୍‌, ବେଡ୍‌ ରୁମ୍‌ କିମ୍ବା ବାଲକୋନିରେ ଟାଙ୍ଗିବା ପାଇଁ ଏବେ ଝୋଟରେ ତିଆରି ଝୁଲା ବି ଆସିଲାଣି। ଏହା ଉଭୟ ହ୍ୟାଙ୍ଗିଂ ଡିଜାଇନ୍‌ ଓ ଷ୍ଟାଣ୍ଡ ଡିଜାଇନ୍‌ରେ ଉପଲବ୍ଧ ହୋଇଥାଏ।
ମେଟାଲ୍‌ ଝୁଲା: ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କିମ୍ବା ରଡ୍‌ ଡିଜାଇନ୍‌ର ଝୁଲାକୁ ସାଧାରଣତଃ ବଗିଚାରେ ପକାଯାଇଥାଏ। ଆପଣ ଚାହିଁଲେ ଏହାକୁ ବାଲକୋନି କିମ୍ବା ଲିଭିଂ ରୁମ୍‌ରେ ବି ରଖିପାରିବେ।
ଦୋଳି ଡିଜାଇନ୍‌ ଝୁଲା: ଯଦି ଆପଣ ଦାମିକିଆ ଝୁଲା ବ୍ୟବହାର କରିବାକୁ ଚାହୁଁ ନାହାନ୍ତି, ତା’ହେଲେ କେବଳ ଗୋଟିଏ ପଟାରେ ଦୋଳି ଡିଜାଇନ୍‌ର ଝୁଲା କରି ତାହାକୁ ଘରର ଯେ କୌଣସି ସ୍ଥାନରେ ଟାଙ୍ଗି ପାରିବେ। ଆଉ ତାହାକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ସେଥିରେ ରଙ୍ଗିନ ଝାଲେରି କିମ୍ବା ଫୁଲ ବି ସଜାଇପାରିବେ।