ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…

ପୁରୀ,୧୪।୭: ବହୁ ବର୍ଷ ଅପେକ୍ଷାର ହେବ ଅନ୍ତ। ରବିବାର ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାକୁ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବ, ପୂଜା ଚାଲିଛି। ସକାଳୁ ମା’ ବିମଳାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି।

ଏହାଛଡ଼ା ଭଣ୍ଡାର ଖୋଲିବା ନେଇ ପ୍ରଥମେ ହାଇପାଓ୍ବାର କମିଟି ସହ ବୈଠକ ହେବ। ସରକାରଙ୍କ ଏସ୍‌ଓପି ସମସ୍ତ ସଦସ୍ୟଙ୍କୁ ଜଣାଇ ଦିଆଯିବ। ଆଜି ଅଳଙ୍କାରର ଗଣତି ଓ ମଣତି ହେବ ନାହିଁ। ରତ୍ନଭଣ୍ଡାରର ଚାବି ଖୋଲିବା ଉପରେ ଗୁରୁତ୍ୱ ଦିଆଯିବ। ତା’ ପରେ ମହାପ୍ରଭୁଙ୍କ ଯାହା ଆଶୀର୍ବାଦ ଥିବ ହେବ ବୋଲି ସେ କହିଛନ୍ତି।

ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଥିଲା। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍‌ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।

 

Share