ଭୁବନେଶ୍ୱର,୧୭।୧:ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ଏହାର କାରଣ ଜାଣିବା ପାଇଁ ଦଳର ବହୁ ଆଗଧାଡ଼ିର ନେତାଙ୍କ ଘରେ ଭିଡ ଜମିଛି। ଏସବୁ ଭିତରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅରବିନ୍ଦ। ସେ କହିଛନ୍ତି, ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ।
ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ। କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ।
ସଂଗଠିତ କରିବା ଅଭିଯୋଗ ନେଇ ଅରବିନ୍ଦ କହିଛନ୍ତି, ମୁଁ ମାତ୍ର ଦେଢ଼ ବର୍ଷର ବିଧାୟକ। ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର। ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ। ମୋ ବାପା ସ୍ବତନ୍ତ୍ର, ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣନ୍ତୁ ନାହିଁ। ସନାତନ ମହାକୁଡ଼ ଜଣେ ବରିଷ୍ଠ ନେତା। ବିଧାନସଭାରେ କେବଳ ତାଙ୍କ ମୋର ଦେଖା ହୋଇଛି। ଲବିରେ ମଧ୍ୟ ସନାତନ ମହାକୁଡ଼ଙ୍କ ସହ ମୋ ସାକ୍ଷାତ ହୋଇନି। ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ପାଟକୁରା ବିଧାୟକ ରହିବି। ମୋତେ ପାଟକୁରା ବିଧାୟକ ପଦରୁ କେହି ହଟାଇ ପାରିବେନି। ବିକାଶ ପାଇଁ କାର୍ଯ୍ୟ କରିବି।
ସୂଚନାଯୋଗ୍ୟ, ୨ ବିଧାୟକଙ୍କ ନିଲମ୍ବନକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ମିଡ ଡେ’ ଅପରେଶନ ଚାଲିଥିଲା। ଷଡ଼ଯନ୍ତ୍ରରେ ସାମିଲ ଥିଲେ ନିଲମ୍ବିତ ବିଧାୟକ । ଧରାପଡ଼ିଯିବାରୁ ଆକ୍ସନ ନିଆଯାଇଥିଲା।
Dharitri – Odisha’s No.1 Odia Daily

