ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ ନେଇ ଅରୁଣ କହିଛନ୍ତି, କୋଟା ବୃଦ୍ଧି ନେଇ ବିଜେଡି ଦାବି କରୁଥିଲା। ଭାଜପା ବୃଦ୍ଧି କରିଛି। କିନ୍ତୁ ଯାହାର ସଂଖ୍ୟା ଯେତେ ଅଧିକ, ସେ ଅନୁସାରେ କୋଟା ବୃଦ୍ଧି କରିବାକୁ ଦାବି କରିଛନ୍ତି ଅରୁଣ ସାହୁ। ଅନ୍ୟପଟେ ଅନ୍ନପୂର୍ଣ୍ଣା ଯୋଜନାରେ ଅଧିକ ଚାଉଳ ଦେବା ନିଷ୍ପତ୍ତିକୁ ଅରୁଣ ସ୍ବାଗତ କରିଥିବାବେଳେ, କୋଉ ପରିସ୍ଥିତିରେ ଚାଉଳ ଦେଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ଅରୁଣ। ଏହା ସହିତ ଡବଲ ଇଞ୍ଜିନ ସରକାର ଫେଲ ମାରିଛି। ରାଜ୍ୟକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ କମେଇ ଦେଉଥିବା ଅଭିଯୋଗ କରିଛନ୍ତି ଅରୁଣ। ଏହା ସହିତ ମେଟ୍ରୋ ରେଳ ପ୍ରକଳ୍ପ ଓ ମହାନଦୀ ବିବାଦକୁ ନେଇ ଅରୁଣ କହିଛନ୍ତି, ଡବଲ ଇଞ୍ଜିନ ସରକାର ବିଫଳ ହୋଇଛି। ପୂର୍ବ ସରକାର ସମୟରେ ଯେତେ ସବୁ ବଡ଼ବଡ଼ ପ୍ରକଳ୍ପ ହାତକୁ ନିଆ ଯାଇଥିଲା ସେ ସବୁ ଥମ୍ ହୋଇପଡ଼ିଛି। ଡବଲ ଇଞ୍ଜିନ କାମ କରୁନି, ତେଣୁ ଏଭଳି ବିପର୍ଯ୍ୟୟ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

