ଭୁବନେଶ୍ୱର, ୨୪।୨(ସୁନିତ୍ ମିଶ୍ର):ଭାଜପାର ଅଧିକ ଏମ୍ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର ହେଲେ ବି ପାଟି ଫିଟୁନାହିଁ। ତେଣୁ ଅଧିକ ମୂକ, ବଧିରଙ୍କୁ ପଠାଇବା ଅପେକ୍ଷା ରାଜ୍ୟ ସଭାର ୪ର୍ଥ ଆସନ ଯେପରି ଭାଜପା ହାତକୁ ନ ଯିବ ସେଥିପାଇଁ ଚେଷ୍ଟା କରିବା ଦରକାର ବୋଲି ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି।
ବିଧାନସଭା ବାହାରେ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରୁଣ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ। ବିଜେଡି ହେଉଛି ଏକ ଶୃଙ୍ଖଳିତ ଦଳ। ଦଳରେ ରାଜନୈତିକ ବ୍ୟାପାର କମିଟି ରହିଛି। ଦଳରେ ସର୍ବୋଚ୍ଚ ନେତାମାନେ ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ଯାହାକୁ ରହିବ ସେ ରାଜ୍ୟ ସଭା ଯିବେ। ଏହା ବିଜେଡିର ଆଭ୍ୟନ୍ତରୀଣ କଥା। ସଂଖ୍ୟା ଦୃଷ୍ଟିରୁ ଭାଜପାକୁ ୨ଟି ଏବଂ ବିଜେଡି ଗୋଟିଏ ଆସନ ସହଜରେ ମିଳିପାରିବ। ୪ର୍ଥ ଆସନ ପାଇଁ ବିଜେଡି ନିଷ୍ପତ୍ତି ଯାହା କରିବସେକଥା ସେ କହିପାରିବେ ନାହିଁ। ହେଲେ ଭାଜପା ୨ଟି ଆସନରୁ ଗୋଟିଏ ବି ଅଧିକ ନ ନେବା ଦରକାର। ସେମାନଙ୍କୁ ଯଦି ଆଉ ଗୋଟିଏ ଆସନ ମିଳିବ, ଅର୍ଥାତ୍ ଯିଏ ରାଜ୍ୟ ସଭା ଯିବ ସେଠାରେ ମୂକ, ବଧିର ହୋଇ ବସିବ। ତେଣୁ ୪ର୍ଥ ଆସନ ଭାଜପାକୁ ନ ଯିବା ଦରକାର। ଦଳ କ’ଣ ନିଷ୍ପତ୍ତି ନେବ ତାହାକୁ ଅପେକ୍ଷା। ସେହିପରି କଂଗ୍ରେସକୁ ସହଯୋଗ କରିବା କଥା କୁଆଡୁ ଆସୁଛି ବୋଲି ଅରୁଣ କହିଛନ୍ତି।
ସୂଚନାଯୋଗ୍ୟ, ବିଗତ ଦିନରେ ଅନେକ ସମୟରେ କେନ୍ଦ୍ରର ଭାଜପା ସରକାରକୁ ପରୋକ୍ଷ ବା ପ୍ରତ୍ୟକ୍ଷରେ ବିଜେଡି ସହଯୋଗ କରିଆସିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ କ୍ଷମତାରୁ ଯିବା ପରେ ଅନେକ ଘଟଣାରେ ଭାଜପାକୁ ସହଯୋଗ ନେଇ ଦଳର ବହୁ ନେତା ପ୍ରଶ୍ନ କରୁଛନ୍ତି। ଆଗକୁ ରାଜ୍ୟ ସଭା ନିର୍ବାଚନ ଥିବାରୁ ବିଜେଡି ଆଭିମୁଖ୍ୟ ପାଇଁ ଗୋଟେ ଆସନ ଭାଜପାକୁ ଯାଉ ବୋଲି ବିରୋଧୀ ଦଳର ବହୁ ନେତା ଚାହୁନାହାନ୍ତି। ଏଭଳି ରାଜନୈତିକ ନିଷ୍ପତ୍ତି ପାଇଁ ବିଜେଡିର କ୍ଷମତା ହରାଇଥିବା ନେଇ ଦଳ ଭିତରୁ ବହୁଜଣ ବାରମ୍ବାର ଅଭିଯୋଗ କରୁଛନ୍ତି। ତେଣୁ ଏବେ ଯେଉଁ ରାଜ୍ୟ ସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ସେଥିରେ କୌଣସିମତେ ବିଜେଡି ଶାସକ ଦଳକୁ ସୁହାଇବା ଭଳି କାମ ନ କରୁ, ସେକଥା ବୁଝାଇବାକୁ ଯାଇ ଅରୁଣଙ୍କ ବ୍ୟକ୍ତିଗତ ମତ ଆସିଥାଇପାରେ ବୋଲି ଚର୍ଚ୍ଚା ହେଉଛି।