ନୂଆଦିଲ୍ଲୀ,୨୨।୧: ଜମ୍ମୁ ଓ କଶ୍ମୀରର ଡୋଡାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ଏକ ସେନା କାସପର ଗାଡ଼ି ଗଭୀର ଖାଇରେ ଖସି ପଡ଼ିଥିବା ଜଣାପଡିଛି । ଏଥିରେ ଦଶ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଦଶଜଣ ଆହତ ହୋଇଥିବା ସୂଚନା ରହିଛି । ଡୋଡାର ଭାଦରୱାହ-ଚମ୍ବା ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । କାସପର ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଥିଲା। ସୈନିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଜଣେ ଅଧିକାରୀ କହିଛନ୍ତି ଯେ, କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଘଟଣା ପରେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଆହତ ସୈନିକମାନଙ୍କୁ ଦୁର୍ଘଟଣାସ୍ଥଳରୁ ବାହାର କରାଯାଇ ନିକଟସ୍ଥ ଏକ ମେଡିକାଲ୍ ସେଣ୍ଟରକୁ ନିଆଯାଇଥିଲା, ଯେଉଁଠାରେ ତିନି ଜଣ ସୈନିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।
ଜମ୍ମୁ ଏବଂ କାଶ୍ମୀରର ଡୋଡା ଜିଲାର ସୁରକ୍ଷା ପରିସ୍ଥିତି ସମ୍ବେଦନଶୀଳ ରହିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୁରକ୍ଷା ବାହିନୀର ଅପରେସନ ବୃଦ୍ଧି ପାଇଛି । ଡୋଡା ଜିଲାରେ ବିଶେଷକରି ପାର୍ବତ୍ୟ ଏବଂ ଜଙ୍ଗଲ ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

