ନୂଆଦିଲ୍ଲୀ,୧୧।୨: ଆମେରିକା ସହ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଲୋକସଭାରେ ନିଜର ବକ୍ତବ୍ୟ ରଖି ରାହୁଲ କହିଛନ୍ତି ଯେ, ସରକାର ଦେଶର ସ୍ୱାର୍ଥକୁ ବଳି ଦେଇ ଭାରତକୁ “ବିକ୍ରି” କରିଦେଇଛନ୍ତି। ଆମେରିକୀୟ ସାମଗ୍ରୀକୁ ଭାରତୀୟ ବଜାରରେ ପ୍ରବେଶ ଅନୁମତି ଦେଇ ସରକାର କୃଷକଙ୍କ ଜୀବିକାକୁ ବିପଦରେ ପକାଇଛନ୍ତି।
ଏହି ଚୁକ୍ତିକୁ ରାହୁଲ ଏକ “ହୋଲସେଲ ସରେଣ୍ଡର” ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଭାରତର ଶକ୍ତି ସୁରକ୍ଷାକୁ ଆମେରିକା ହାତରେ ଟେକି ଦିଆଯାଇଛି। ଦେଶର ଡାଟା ବିକ୍ରି ହୋଇଛି ଏବଂ ଭାରତୀୟ ବୟନ ଶିଳ୍ପ ଶେଷ ହେବାକୁ ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି, “ଆପଣମାନେ ଭାରତକୁ ବିକ୍ରି କରିଦେଇଛନ୍ତି। ଭାରତ ମାତାଙ୍କୁ ବିକ୍ରି କରିବାକୁ ଆପଣଙ୍କୁ ଲାଜ ଲାଗୁନି କି?”
ରାହୁଲ ଗାନ୍ଧୀଙ୍କ ଭାଷଣ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, “ଭାରତକୁ କେହି ବିକ୍ରି କରିପାରିବେ ନାହିଁ ଏବଂ କଂଗ୍ରେସ କ୍ରମାଗତ ଭାବେ ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି।” ରିଜିଜୁ ରାହୁଲଙ୍କୁ “ମିଛୁଆ” ବୋଲି କହିବା ସହ ସେ ସଂସଦର ମର୍ଯ୍ୟାଦା ହାନି କରୁଥିବା ଅଭିଯୋଗ କରିଛନ୍ତି। ରାହୁଲଙ୍କ ବିରୋଧରେ ବାଚସ୍ପତିଙ୍କୁ ଏକ ନୋଟିସ୍ ଦିଆଯିବ ଏବଂ ତାଙ୍କ ମିଛର ପର୍ଦ୍ଦାଫାଶ କରାଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି।

