କଟକ,୨୩।୯: ବିଭିନ୍ନ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଲେ ହାଇକୋର୍ଟ। ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ସମ୍ପର୍କରେ ତଥ୍ୟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ। ୬ ହଜାରରୁ ଅଧିକ ଅତିଥି ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଦାୟର ପିଟିସନ୍ର ଶୁଣାଣି କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ହାଇକୋର୍ଟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଯୋଗ୍ୟ ହୋଇ ମଧ୍ୟ ବେକାର ଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି କ’ଣ ପାଇଁ ହେଉଛି ଏନେଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖାଲିଥିବା ୬,୩୮୭ ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ କହିଥିଲେ ସରକାର। ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।