ପୂର୍ବରୁ ଆବେଦନ କରିଥିବା ଆଶାୟୀଙ୍କୁ ଦେବାକୁ ପଡିବନି ଟଙ୍କା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ ଯୁକ୍ତ୨ ନାମଲେଖା ଶେଷ ହୋଇଯାଇଛି। କିନ୍ତୁ ଏବେ ବି ଅନେକ ଉଚ୍ଚ ମାଧ୍ୟମିକ ସ୍କୁଲରେ ସିଟ୍‌ ଖାଲି ପଡ଼ିଛି। ବଳକା ସିଟ୍‌ ପୂରଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା କରିବା ପାଇଁ ପଦକ୍ଷେପ ନେଇଛି। ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସୋମବାର ବିଜ୍ଞପ୍ତି ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁସାରେ, ଏହି ବଳକା ସିଟ୍‌ରେ ନାମଲେଖା ପାଇଁ ମଙ୍ଗଳବାରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଖାଲି ସିଟ୍‌ରେ ନାମଲେଖା ପାଇଁ କମନ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଗଣଶିକ୍ଷା ବିଭାଗର ଓ୍ବେବ୍‌ସାଇଟ୍‌ www.samsodisha.gov.inରେ ଉପଲବ୍ଧ ରହିଛି। ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରୁ ୨୫ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ, କିନ୍ତୁ କୌଣସି କଲେଜରେ ନାମଲେଖା ପାଇଁ ସିଟ୍‌ ପାଇ ନଥିଲେ, ସେମାନେ ବି ଆଉଥରେ ଅନ୍‌ଲାଇନ୍‌ରେ ସିଏଏଫ୍‌ ଆବେଦନ କରିପାରିବେ। କିନ୍ତୁ ସେମାନଙ୍କ ପାଇଁ ଆଉଥରେ ଆବେଦନ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ। ବଳକା ସିଟ୍‌ରେ ନାମ ଲେଖାଇବା ପାଇଁ ଆସନ୍ତା ୩୦ ତାରିଖ ଅପରାହ୍ନ ୨ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ନଭେମ୍ବର ୧ ତାରିଖ ପୂର୍ବାହ୍ନ ୧୧ଟାରୁ ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇପାରିବେ। ୯ ତାରିଖ ଅପରାହ୍ନ ୨ଟାରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ। ଯେତିକି ସିଟ୍‌ ଖାଲି ଥିବ ତା’ର ୩ଗୁଣ ମେଧା ତାଲିକା ପ୍ରକାଶ ପାଇବ।