କଟକ,୧୫।୧: ମୋକିମ ଫାଉଣ୍ଡେସନ୍ ପକ୍ଷରୁ ଚାଲିଥିବା ସ୍ପୋର୍ଟ୍ସ କାର୍ଣ୍ଣିନିଭାଲର ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ସୁପରଷ୍ଟାର ତଥା ବିଜେପି ନେତା ଅନୁଭବ ମହାନ୍ତି । ସର୍ବଦା ସେ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ସେ ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ସେ ଅତିଥି ଭାବେ ଯୋଗ ଦେଇ ମୋକିମଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ସିଧାସଳଖ ଭାବେ ନକହି ସେ ପରୋକ୍ଷ ଭାବେ ମୋକିମ ଏବଂ ସୋଫିଆଙ୍କ ସପକ୍ଷରେ ବାହାରିଛନ୍ତି ।
ମୋକିମଙ୍କୁ ନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ତାଙ୍କୁ ନେତା ହିସାବରେ ବହୁତ ଆଗରୁ ଦେଖି ଆସିଛି । କିନ୍ତୁ ଲୋକ ହିସାବରେ କହିବାକୁ ଗଲେ ମୋତେ ତାଙ୍କ ଠାରୁ ପିଲାଠୁ ଭଲ ପାଇବା ମିଳୁଛି । ମୁଁ ବି ତାଙ୍କୁ ସମ୍ମାନ ଜଣାଏ । ତାଙ୍କୁ ମୋର ଶୁଭକାମନା ରହିବ । ସେ ଜୀବନରେ ଯାହାବି କାମ କରନ୍ତୁ ଭଲ କାମ କରିଚାଲନ୍ତୁ । ଲୋକଙ୍କ ସେବା ଜାରି ରଖନ୍ତୁ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଯାହାବି କଲେ ଚର୍ଚ୍ଚାରେ ରୁହେ । ମୋତେ ସେ ଅତିଥି ଭାବେ ଡାକିଥିଲେ ସେଥିପାଇଁ ମୁଁ ଆସିଛି । ତେବେ ମୋକିମ ନୂଆ ଦଳ ଗଠନ ନେଇ ସ୍ପଷ୍ଟ କରିଥିବା ବେଳେ ଏହି ସମୟରେ ଅନୁଭବ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି ।