ଭୁବନେଶ୍ୱର,୩।୧: ଓଡ଼ିଶାରେ ପବିତ୍ର ଦଶହରା ଉତ୍ସବ ଅବସରରେ, ରାଜ୍ୟର ଚଳଚ୍ଚିତ୍ର ଶିଳ୍ପ ଏକ ଦୁଃଖଦ ଓ ଅନ୍ୟାୟପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଥିବା କୁହାଯାଇଛି। ଓଡ଼ିଆ ସିନେମା, ଯାହା ରାଜ୍ୟର କଳା, ସଂସ୍କୃତି ଓ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ, ତାହା ଏହି ପବିତ୍ର ଦିବସରେ ଅବହେଳାର ଶିକାର ହୋଇଥିବା ଷ୍ଟାର ଅଭିନେତା ଅନୁଭବ ମହାନ୍ତି କହିଛନ୍ତି। ରାଜ୍ୟର ଥିଏଟରଗୁଡ଼ିକରେ ହାଉସଫୁଲ ଚାଲିଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ହଟାଇ ଅନ୍ୟ ଆଞ୍ଚଳିକ ଏବଂ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକୁ ସ୍ଥାନ ଦିଆଯାଇଛି, ଯାହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଏବଂ ଜନସାଧାରଣଙ୍କ ପ୍ରତି ଏକ ଗୁରୁତର ଅନ୍ୟାୟ ସେ କହିଛନ୍ତି।
ଏହି ଘଟଣା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଦର୍ଶକଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ଓଡ଼ିଆ ସିନେମା ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ଭାଷାର ପ୍ରଚାର ଏବଂ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କିନ୍ତୁ ଏଭଳି ଅବହେଳା ଏହାର ବିକାଶ ଓ ସ୍ୱୀକୃତିକୁ ବାଧା ସୃଷ୍ଟି କରୁଛି। ଦଶହରା ଭଳି ଏକ ସାଂସ୍କୃତିକ ମହତ୍ତ୍ୱ ବିଶିଷ୍ଟ ଅବସରରେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ଥିଏଟରରୁ ହଟାଇବା ରାଜ୍ୟର ସାଂସ୍କୃତିକ ଗରିମା ପ୍ରତି ଅନାଦରର ପରିଚୟ ବୋଲି ଓଡ଼ିଆ ଚଳଚ୍ଚିତ୍ର ପରିବାର ଅଭିଯୋଗ କରିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଚଳଚ୍ଚିତ୍ର ସମାଜ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଆକୁଳ ନିବେଦନ ଜଣାଇଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଓଡ଼ିଆ ସିନେମା ପରିବାରର ପକ୍ଷରେ ଛିଡ଼ା ହୋଇ ରାଜ୍ୟର ଥିଏଟରଗୁଡ଼ିକରେ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକୁ ଯଥାଯୋଗ୍ୟ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରାଯାଉ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ଓ ପ୍ରୋତ୍ସାହନ ପାଇଁ ସରକାରୀ ସ୍ତରରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏହି ଘଟଣା ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଥିଏଟର ମାଲିକମାନଙ୍କର ଏକପାଖିଆ ମନୋଭାବକୁ ପ୍ରକାଶ କରୁଛି ବୋଲି ଅନେକେ ମତ ଦେଇଛନ୍ତି। ଓଡ଼ିଆ ସିନେମାର ଦର୍ଶକମାନେ ଏହାକୁ ରାଜ୍ୟର ସାଂସ୍କୃତିକ ପରିଚୟ ଉପରେ ଏକ ଆଘାତ ଭାବେ ବିବେଚନା କରୁଛନ୍ତି। ସ୍ଥାନୀୟ କଳାକାର ଓ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ଏବଂ ସରକାରଙ୍କଠାରୁ ତୁରନ୍ତ ହସ୍ତକ୍ଷେପର ଆଶା ରଖିଛନ୍ତି।